କେନ୍ଦ୍ରାପଡ଼ାରେ ପୁଣି ତେଜିଲା ବୈଜୟନ୍ତ ବିରୋଧୀ ପଲିଟିକ୍ସ
କେନ୍ଦ୍ରାପଡ଼ା : ଦିନ ପ୍ରାୟ ୧୧ଟାରେ ଉଦ୍ଘାଟନ। ଆଉ ଗୋଟାଏ ବେଳକୁ ଫଳକ ଭଙ୍ଗାରୁଜା। ବିଜେଡିରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବୈଜୟନ୍ତ ବିରୋଧୀ ରାଜନୀତିକୁ ନେଇ ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା। ବିରୋଧ ଭିତରେ ମାର୍ଶାଘାଇ ବ୍ଲକ୍ ପୁରୁଷୋତ୍ତମପୁରରେ ସାଂସଦ ପାଣ୍ଠିରେ ନିର୍ମିତ ଏଇ ପାଣି ଟାଙ୍କିକୁ ଆଜି ଉଦ୍ଘାଟନ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ହେଲେ ତା ପୂର୍ବରୁ ଉଦ୍ଘାଟନୀ ଫଳକ ଲଗାଇବାକୁ ଯାଉଥିବା ଜଣେ ସମର୍ଥକଙ୍କୁ ମାଡ଼ ମରା ହୋଇଥିବା ବି ଅଭିଯୋଗ ହୋଇଥିଲା। ହେଲେ ଏସବୁ ସତ୍ତ୍ୱେ ପ୍ରକଳ୍ପ ଉଦ୍ଘାଟନ କରି ବୈଜୟନ୍ତ କହିଥିଲେ- ଆମ ବିଜେଡି ଆଗରୁ ଏମିତି ନଥିଲା। ଜଣେ ଅଫିସରଙ୍କ ପ୍ରଭାବରେ ଗତ ୩-୪ ବର୍ଷ ଧରି ଗୁଣ୍ଡାଗିରି ବଢିଛି।
ସେପଟେ ଆସନ୍ତାକାଲି ସାଂସଦ ବୈଜୟନ୍ତଙ୍କ ଦ୍ୱାରା ଉଦ୍ଘାଟନୀ ଅପେକ୍ଷାରେ ଥିବା ଆଳି ବ୍ଲକ୍ ସଂସିଧାର ଏକ ପାନୀୟ ଜଳ ପ୍ରକଳ୍ପକୁ ବି ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା ଆଗୁଆ ଉଦ୍ଘାଟନ କରି ଦେଇଛନ୍ତି।
ତେବେ ମାହାଙ୍ଗା ହେଉକି ସାଲେପୁର ଅବା ବୈଜୟନ୍ତଙ୍କ ସଂସଦୀୟ କ୍ଷେତ୍ରର ଅନ୍ୟସ୍ଥାନ। ସବୁଠି ସାଂସଦ ପାଣ୍ଠିରେ ନିର୍ମିତ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ବିବାଦ ସୃଷ୍ଟି କରୁଛନ୍ତି ସ୍ଥାନୀୟ କିଛି ବିଜେଡି ଗୋଷ୍ଠୀ। ଏପରିକି ଆଜି ପୁରୁଷୋତ୍ତମପୁରରେ ବୈଜୟନ୍ତ ଉଦ୍ଘାଟନ କରିଥିବା ପାଣି ଟାଙ୍କିକୁ ଗତ ଫେବ୍ରୁଆରୀ ୭ରେ ଅନଧିକୃତ ଭାବେ ଉଦ୍ଘାଟନ କରିଥିଲେ ମାର୍ଶାଘାଇ ବ୍ଲକ୍ ଅଧ୍ୟକ୍ଷା ସୀତାଲତା ପରିଡ଼ା। ତେବେ କାହା ଇଙ୍ଗିତରେ କେନ୍ଦ୍ରାପଡ଼ାରେ ସାଂସଦ ବୈଜୟନ୍ତଙ୍କୁ ଏ ବିରୋଧ। କହୁ କହୁ ଗୁମର ଖୋଲି ଦେଇଛନ୍ତି ମାର୍ଶାଘାଇ ବ୍ଲକ୍ ଅଧ୍ୟକ୍ଷା। କହିଛନ୍ତି ପୁରୁଷୋତ୍ତମପୁର ପାଣିଟାଙ୍କି ଉଦ୍ଘାଟନ ପାଇଁ ତାଙ୍କୁ ସ୍ଥାନୀୟ ବିଧାୟକ କହିଥିଲେ। ସେପଟେ ଏ ସଂପର୍କରେ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ଏଠି ପ୍ରଶ୍ନ ବୈଜୟନ୍ତ-ବିଜେଡି ଗୋଷ୍ଠୀର କଳି ଭିତରେ ନିନ୍ଦିତ ହେଉନି କି ଦଳ। ଲୋକାଭିମୁଖୀ କାମରେ ବାଧା ଦେବା କେତେଦୂର ଠିକ୍। ବିଜେଡି ସୁପ୍ରିମୋ ଚୁପ୍ କାହିଁକି ? କାହିଁକି ଦଳକୁ ନିନ୍ଦିତ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛୋଉଛନ୍ତି ନବୀନ? ସ୍ଥାନୀୟ ବିଧାୟକ ନା ତୃତୀୟ ମହଲା ଅଫିସରଙ୍କ ପ୍ରରୋଚନାରେ ବିଜେଡିର କିଛି ଗୋଷ୍ଠୀ ଆପଣାଉଛନ୍ତି ଏଭଳି ଆଭିମୁଖ୍ୟ। ସେପଟେ ବୈଜୟନ୍ତ ଦଳରୁ କେବଳ ନିଲମ୍ବିତ ହୋଇଥିଲେ ବି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ କହିଛନ୍ତି ଦଳରୁ ଯିଏ ଗଲେ ସେ ତାଙ୍କ କଥା ବୁଝିବେ।
ଏସବୁ ଭିତରେ ଏବେ ନଜର ବିଜେଡିର ଏ ଘର କଳି ଆଗକୁ କେଉଁ ମୋଡ଼ ନେଉଛି।