ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ; ପୁଲିସ୍କୁ ଦେଖି ଡ୍ରାଇଭର…
ମାଲକାନଗିରି: ରୋଗୀ ବଦଳରେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ। ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୁଲିସ୍ ଆମ୍ବୁଲାନ୍ସର ପିଛା କରିଥିଲା। ହେଲେ ପୁଲିସ୍ ହାବୁଡ଼ରୁ ବଞ୍ଚିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିଗଲା। ଏହା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ।
ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମୁଦୁଲିପଡ଼ା ପୁଲିସ୍କୁ ପୂର୍ବରୁ ସୂଚନା ମିଳିଥିଲା। ଫଳରେ ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ଏକ ଆମ୍ବୁଲାନ୍ସକୁ ଚେକ୍ କରିବା ବେଳେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା।
ଆମ୍ବୁଲାନ୍ସ ଡ୍ରାଇଭର ନିଜକୁ ବଞ୍ଚାଇବାକୁ ଖଇରପୁଟ-ମାଥିଲି ରାସ୍ତାକୁ ଯିବା ସମୟରେ କଲୋନୀ ସାହି ପାଖରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇଥିଲା।
ମୁଦୁଲିପଡ଼ା ପୁଲିସ୍ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଜବତ କରିଛି। ଏହାସହ ଆମ୍ବୁଲାନ୍ସକୁ ଥାନାରେ ରଖାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।