୪ ବର୍ଷ ଶାସନର ହିସାବ ଦେଲେ ମୋଦି

କଟକ : କିଲ୍ଲା ପଡିଆରୁ ଦେଶବାସୀଙ୍କୁ ନିଜ ସରକାରର ୪ ବର୍ଷର ହିସାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିରେ ଫସିଥିବା ଲୋକ ଦେଶ ବଞ୍ଚାଇବା ନୁହେଁ, ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ଲାଗି ଗୋଟିଏ ମଞ୍ଚରେ ଏକାଠି ହୋଇଥିବା ସେ କହିଛନ୍ତି। କିଛି ଲୋକ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରଥିବା  ସେ ଅଭିଯୋଗ କରିଛନ୍ତି। ନିଜ ସରକାରର ସଫଳତା ବଖାଣି ମୋଦି କହିଛନ୍ତି ଯେ ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି। ହିନ୍ଦୁସ୍ତାନ ବଦଳି ପାରିବ ବୋଲି ଗତ ୪ ବର୍ଷରେ ଲୋକଙ୍କ ବିଶ୍ୱାସ ହୋଇଛି।

ବାକିଥିବା ଦେଶର ୧୮ ହଜାର ଗାଁରେ ବିଜୁଳି ପହଞ୍ଚି ସାରିଛି। ୪ କୋଟି ଘରେ ମାଗଣା ବିଜୁଳି ଆଲୋକ ଦିଆଯାଇଛି। ୨୦୧୪ ସୁଦ୍ଧା ଦେଶରେ ୬ କୋଟି ଶୌଚାଳୟ ଥିବା ବେଳେ ୪ ବର୍ଷ ମଧ୍ୟରେ ଆଉ ସାଢେ ୭ କୋଟି ଶୌଚାଳୟ ହୋଇଛି। ୭୦ ବର୍ଷ ମଧ୍ୟରେ ଦେଶରେ ୧୩ କୋଟି ଗ୍ୟାସ୍ ସଂଯୋଗ ଥିଲା। ୪ ବର୍ଷ ମଧ୍ୟରେ ୧୦ କୋଟି ଗ୍ୟାସ୍ ସଂଯୋଗ ଦିଆଯାଇଛି। ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୨୫ ଲକ୍ଷ ପରିବାରକୁ ଗ୍ୟାସ ସଂଯୋଗ ଦିଆଯାଇଛି।

ଦେଶର ପ୍ରତି ପରିବାରରେ ଏବେ ବ୍ୟାଙ୍କ ଆକାଉଣ୍ଟ ଅଛି। ଦେଶର ୧ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରାଯାଇଛି। କଳାଧନ ବିରୋଧରେ ଲଢେଇ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଥିଲେ, ଯେ ତାଙ୍କ ସରକାର ଜନପଥ ନୁହେଁ, ଜନମତରେ ଚାଲିଛି। ଜୟ ଜଗନ୍ନାଥ ଧ୍ୱନୀରୁ ଆରମ୍ଭ କରି ମୋଦି ଜୟ ଜଗନ୍ନାଥ ଧ୍ୱନୀରେ ନିଜ ବକ୍ତବ୍ୟ ଶେଷ କରିଥିଲେ।

You might also like