ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନୀତି ଆୟୋଗର ବୈଠକରେ ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ହେଉଛି ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ଏଥିରେ ସ୍ଥାନ ପାଇଛି କୃଷିର ଉନ୍ନତି, ଚାଷୀଙ୍କ ଆୟ ଦୁଇଗୁଣା କରିବା, ଆୟୁଷ୍ମାନ ଭାରତ, ପୋଷଣ ମିଶନ, ମିଶନ ଇନ୍ଦ୍ରଧନୁଶ, ଆକାଂକ୍ଷା ଜିଲ୍ଲାର ଉନ୍ନୟନ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ଆଦି ପ୍ରସଙ୍ଗ।

କୃଷିର ଉନ୍ନତି ପାଇଁ ଇ-ନାମ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଗ୍ରାମୀଣ ହାଟ, NREGS ଓ ଜଳ ସଂରକ୍ଷଣରେ ଏହାର ଉପଯୋଗିତା ଆଦି ପ୍ରସଙ୍ଗ ସ୍ଥାନ ପାଇଛି। ସେହିପରି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ମିଶନ ସଂପର୍କରେ ମଧ୍ୟ ଆଲୋଚନା ହେବ। ୨୦୨୦ ନ୍ୟୁ ଇଣ୍ଡିଆ ପାଇଁ ଏହି ସବୁ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏହା ସହିତ କୋଅପରେଟିଭ ଓ କମ୍ପିଟିଟିଭ ସଂଘୀୟ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସେପଟେ ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ। ଗତବର୍ଷ ଏହି ବୈଠକକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଚଳିତ ଥର କାହିଁକି ଗଲେନି ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଓଡ଼ିଶାର ସମସ୍ୟା ଠିକ୍ ଫୋରମରେ କହିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ନୁହଁନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ କହିଛନ୍ତି ସାମ୍ବିଧାନିକ ଦାୟିତ୍ୱ ଭୁଲି, ଦଳୀୟ ଦାୟିତ୍ୱରେ ମନ ଦେଉଛନ୍ତି ନବୀନ। ଏହା ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହଁ। ନୀତି ଆୟୋଗ, ଆୟୁଷ୍ମାନ, ଆକାଂକ୍ଷା ଯୋଜନାକୁ ବୟକଟ୍ କରି ମୁଖ୍ୟମନ୍ତ୍ରୀ କେଉଁ ଭାଷା କହୁଛନ୍ତି ବୋଲି ନବୀନଙ୍କୁ ଟାର୍ଗେଟ କରିଛନ୍ତି ଜୁଏଲ୍ ।

You might also like