ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀ ମାନେ www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍‌ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ।

ଏଥର ପରୀକ୍ଷା ଦେଇଥିଲେ ମୋଟ ୨, ୩୦, ୨୦୬ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ ୧, ୫୮, ୩୭୮ ଛାତ୍ରଛାତ୍ରୀ। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ଛାତ୍ରୀମାନେ ବାଜି ମାରିଛନ୍ତି।

ଚଳିତ ବର୍ଷ କଳାରେ ମୋଟ ପାସ୍ ହାର ୭୦.୧୭%। ଯୁକ୍ତ ଦୁଇ କଳାରେ ୬୩, ୭୫୯ ଛାତ୍ର ଏବଂ ୯୪, ୬୧୯ ଛାତ୍ରୀ ପାସ୍ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୯, ୯୯୩ ଛାତ୍ରଛାତ୍ରୀ, ୨ୟ ଶ୍ରେଣୀ- ୨୬, ୦୭୬ ଓ ୩ୟ ଶ୍ରେଣୀ- ୧, ୧୨, ୧୪୩ରେ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।  ପାସ୍ ହାରରେ ପୁରୀ ଜିଲ୍ଲା ପ୍ରଥମ (୭୯.୮୭%) ଥିବାବେଳେ ନବରଙ୍ଗପୁର ଜିଲ୍ଲା ସର୍ବନିମ୍ନ ୪୭.୫୮% ରହିଛି।

ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ଚଳିତ ଥରର ପାସ୍ ହାର ୭୪.୯୧%। ଏଥର ମୋଟ ୨୬, ୯୮୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୨୦, ୨୧୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩, ୦୮୯ଜଣ ଛାତ୍ର ଓ ୭, ୧୨୭ଜଣ ଛାତ୍ରୀ ରହିଛନ୍ତି। ପ୍ରଥମ ଶ୍ରେଣୀରେ ୪, ୦୦୬ ଛାତ୍ରଛାତ୍ରୀ ପାସ୍‌ କରିଥିବାବେଳେ, ୨ୟ ଶ୍ରେଣୀ- ୩୭୩୪ ଏବଂ ୩ୟ ଶ୍ରେଣୀରେ ୧୨, ୪୭୦ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପାସ୍ ହାରରେ ନୟାଗଡ଼ ଜିଲ୍ଲା ପ୍ରଥମ, ପାସ୍ ହାର- ୯୫.୫୯% ଥିବାବେଳେ ଦେବଗଡ଼ ଜିଲ୍ଲା ସର୍ବନିମ୍ନ, ପାସ୍ ହାର- ୪୫.୦୭% ରହିଛି।

ଧନ୍ଦାମୂଳକ ଶିକ୍ଷାରେ ୭,୯୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪,୧୯୧ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୧% ରହିଛି।୨,୦୮୦ ଜଣ ଛାତ୍ର ପାସ୍ କରିଥିବା ବେଳେ ୨,୧୧୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ୨୯୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୧,୬୯୨ ଦ୍ୱିତୀୟ ଶ୍ରେଣୀରେ ଓ ୨,୦୫୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବରଗଡ଼ରେ ପାସ୍ ହାର ସର୍ବାଧିକ ୮୧.୮୯ ଥିବା ବେଳେ ନବରଙ୍ଗପୁରରେ ପାସ୍ ହାର ୩.୯୨% ରହିଛି।

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟର ରି-ଚେକିଂ ପାଇଁ ଜୁନ୍ ୨୫ ସୁଦ୍ଧା ‌ଆବେଦନ କରିହେବ। ଆଉ ଜୁଲାଇ ଦ୍ୱିତୀୟ ସପ୍ତାହରେ ହେବ ଇନଷ୍ଟାଣ୍ଟ ପରୀକ୍ଷା

ସୂଚନାଥାଉ କି, ଗତ ୧୯ରେ ପ୍ରକାଶ ପାଇଥିଲା +୨ ବିଜ୍ଞାନ ରେଜଲ୍ଟ।

ରେଜଲ୍ଟ ବାହାରିବାରେ ଚଳିତ ବର୍ଷ ବିଳମ୍ବ ହୋଇଥିବାରୁ ଆଜି ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିବା ସତ୍ତ୍ୱେ ରେଜଲ୍ଟ ପ୍ରକାଶ ପାଇଛି।  ଚଳିତ ବର୍ଷ କଳାରେ ୨ଲକ୍ଷ ୨୪ ହଜାରରୁ ଅଧିକ, ବାଣିଜ୍ୟରେ ୨୭ହଜାର ୫ଶହରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ୮ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ଗତ ବର୍ଷ କଳାରେ ପାସ୍ ହାର ୭୦.୧୭ ପ୍ରତିଶତ ଥିଲା। ସେହିପରି ବାଣିଜ୍ୟରେ ୭୧.୪୩ ଓ ଧନ୍ଦାମୂଳକ ଶିକ୍ଷାରେ ୬୧.୨୨ ପ୍ରତିଶତ ପାସ୍ ହାର ଥିଲା।

ଆହୁରି ପଢ଼ନ୍ତୁ

You might also like