ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, କରୋନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ

ପିପିଲି: ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ। ଭୋଟ୍ ତାରିଖ ପରିବର୍ତ୍ତନ କଲେ ନିର୍ବାଚନ କମିଶନ। ମେ’ ୧୩ ବଦଳରେ ଏଣିକି ମେ’ ୧୬ରେ ହେବ ଭୋଟ ଗ୍ରହଣ। ମେ’ ୧୯ରେ ହେବ ଭୋଟ ଗଣତି । ତେବେ ନିର୍ବାଚନ ଘୁଞ୍ଚିବାର ମୁଖ୍ୟ କାରଣ ଇଦ୍-ଉଲ୍- ଫିତର ବୋଲି ଦର୍ଶାଯାଇଛି। ମେ’ ୧୩ରେ ଇଦ୍-ଉଲ-ଫିତର ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି।

ପିପିଲି କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଏପ୍ରିଲ ୧୪ରେ ଅକସ୍ମାତ ବିୟୋଗ ପରେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲ। ସେଥିରେ ମେ’ ୧୩ରେ ନିର୍ବାଚନ ହେବ ବୋଲି କୁହାଯାଇଥିଲା। ହେଲେ ଏବେ ତାହା ମେ’ ୧୬ ତାରିଖକୁ ଘୁଞ୍ଚିଛି। ଅନ୍ୟପଟେ ପୂର୍ବରୁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ବୋଲି କୁହାଯାଇଥିଲା। ଯାହାକି ଅପରିବର୍ତ୍ତିତ ରହିଛି। ସେହିଭଳି ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ଏପ୍ରିଲ ୨୯ ତାରଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ‌ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତାହା ମଧ୍ୟ ଅପରିବର୍ତ୍ତିତ ରହିଛି।

ଅନ୍ୟପଟେ କରୋନା ସଂକ୍ରମଣ ପାଇଁ ନିର୍ବାଚନ କମିଶନ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ଏନେଇ ସିଇଓ ସୁଶୀଲ ଲୋହାନୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଣିକି ୪୮ ଘଣ୍ଟା ପରିବର୍ତ୍ତେ ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେବ। ପିପିଲିରେ ୧୩ ତାରିଖ ସଂଧ୍ୟାରୁ ପ୍ରଚାର କାର୍ଯ୍ୟ ବନ୍ଦ କରାଯିବ। ଏହାସହ ରାଜନୈତିକ ସଭା କିମ୍ବା ସମାବେଶକୁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ବାରଣ କରିଛନ୍ତି। ହେଲେ ଭର୍ଚୁଆଲ ମାଧ୍ୟମରେ ରାଜନୈତିକ ଦଳମାନେ ପ୍ରଚାର କରିପାରିବେ ବୋଲି ଅନୁମତି ରହିଛି। ଘରକୁ ଘର ବୁଲି ପ୍ରଚାର କରିବାରେ ସର୍ବାଧିକ ୫ ଜଣଙ୍କୁ ଏକାଠି ଯିବାର ଅନୁମତି ଦିଆଯାଇଛି। ସେହିଭଳି ଭୋଟ ଗ୍ରହଣ କେନ୍ଦ୍ରରେ ସମସ୍ତଙ୍କ ଶରୀର ତାପମାତ୍ରା ମପାଯିବ। ଲକ୍ଷଣ ଦେଖିଲେ ଟୋକନ ଦିଆଯିବ, ଏବଂ ସେମାନେ ସେହିଦିନ ସଂଧ୍ୟା ୫ଟା ପରେ ଭୋଟ ଦେବେ। ସବୁ ଭୋଟରଙ୍କୁ ଭୋଟ ଦେବା ପାଇଁ ଗୋଟିଏ ଲେଖାଏଁ ଗ୍ଲୋଭସ ଯୋଗାଇ ଦିଆଯିବ ବୋଲି ସିଇଓ ସୁଶୀଲ ଲୋହାନୀ କହିଛନ୍ତି।

ତେବେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତଙ୍କ ପରଲୋକ ପରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତାରେ ପଡ଼ିଛି। ପ୍ରାର୍ଥୀ ଖୋଜା ଅଭିଯାନରେ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ ଓ ଭାଇ ଅଶୋକ ମଙ୍ଗରାଜଙ୍କ ନାଁ ଆଗରେ ରହିଥିଲା। ହେଲେ ଏବେ ଅଜିତଙ୍କ ପରିବାରରୁ କେହି ନିର୍ବାଚନ ମଇଦାନକୁ ଓହ୍ଲାଇବେ ନାହିଁ ବୋଲି ସୂଚନା ମିଳିଛି।

ଅଜିତଙ୍କ ପରିବାର ପରେ କଂଗ୍ରେସ୍ ନେତା ନିଶିକାନ୍ତ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏହି ପ୍ରାର୍ଥୀ ରେସରେ ଅଛନ୍ତି। ଅଜିତଙ୍କ ଦେହାନ୍ତ ପରେ ଖୋଦ୍ କଂଗ୍ରେସ୍ ନେତା ରାହୁଲ ଗାନ୍ଧି, ମଙ୍ଗରାଜ ପରିବାର ସହ ଫୋନରେ କଥା ହୋଇ ସମବେଦନା ଜଣାଇଥିଲେ। ଅଜିତ ମଙ୍ଗରାଜଙ୍କ କରୋନାରେ ମୃତ୍ୟ ହୋଇଥିବା ବେଳେ ତାଙ୍କ ମା’ଙ୍କର ମଧ୍ୟ ସେହି କରୋନାରେ ମୃତ୍ୟୁ ହୋଇଛି।

You might also like