ଆଜି ବି ବଞ୍ଚି ରହିଛି ପାରା ମାଧ୍ୟମରେ ଚିଠି ଆଦାନ ପ୍ରଦାନ

ଭୁବନେଶ୍ୱର : ପାରା , ନାଁ ଶୁଣୁଶୁଣୁ ଆପଣଙ୍କ ମନକୁ ଆସିଯିବ ସେହି ଅତୀତର କଥା। ଯେଉଁ ସମୟରେ ଚିଠି ଦିଆନିଆର ଏକ ମାଧ୍ୟମ ସାଜୁଥିଲା ଏହି ପକ୍ଷୀ। ଅବଶ୍ୟ ଆଧୁନିକତାର ଛାପରେ ଧିରେଧିରେ ଏହି ପରମ୍ପରା ବନ୍ଦ ହୋଇ ସାରିଛି । ତେବେ ଆଜିବି ସେହି ପୁରଣା ସ୍ମୃତିକୁ ସାଇତି ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ।

ମହାବିଷୁବ ସଂକ୍ରାନ୍ତି ଅବସରରେ ଇନଟାକ ଦୃଷ୍ଟିହୀନ ଏବଂ ଓଡିଶା ପୋଲିସର ମିଳିତ ସହାୟତାରେ ପାରାଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଯେଉଁଥିରେ ଚକ୍ଷୁଦାନ ବାର୍ତ୍ତା ସହ ୨୩ଟି ପାରାକୁ ଭୁବନେଶ୍ୱରରୁ କଟକ ପିଜନ୍ ସର୍ଭିସକୁ ପଠାଯାଇଥିଲା। ମାତ୍ର ୩୦ ମିନିଟ୍‌ରୁ କମ ସମୟ ମଧ୍ୟରେ ଆକାଶରେ ଉଡି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ୨୩ଟି ପାରା।

ବାର୍ତ୍ତା ଆଦାନ ପ୍ରଦାନ ପାଇଁ ପୁରୁଣା ପଦ୍ଧତିକୁ ଆଜିବି ବଞ୍ଚାଇ ରଖିଛି ଓଡିଶା ପୋଲିସର ପିଜନ ସର୍ଭିସ। କୁହାଯାଉଛି ଏହି ପାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ପ୍ରଜାତିର। ପାରାଙ୍କ ରହିବା ଏବଂ ଖାଇବା ସହ ପ୍ରଶିକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗନ୍ତବ୍ୟ ସ୍ଥଳକୁ ଯିବା ପୂର୍ବରୁ ଏମାନଙ୍କୁ ଖାଦ୍ୟ ଦିଆଯିବା ସହ ଅନ୍ୟ କେଉଁଠି ଖାଦ୍ୟ ଲୋଭ ନଆସିବାକୁ ପଟାସ ପାଣି ପିଇବାକୁ ଦିଆଯାଇଥାଏ।

କଟକ ସମେତ ଛତ୍ରପୁର, କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଢେଙ୍କାନଳରେ ଓଡିଶା ପୋଲିସର ଏହି ପାରା ପ୍ରଶିକ୍ଷଣ ପୋଷ୍ଟ ରହିଛି। ଜରୁରୀ କାଳୀନ ପରିସ୍ଥିତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ପାରାମାନଙ୍କୁ ବ୍ୟବାହାର କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ ଦିଆଯାଇଥାଏ।

You might also like
Comments
Loading...