ସ୍କାଏକିଙ୍ଗ୍‌ କୋରିଅରରେ ଆସିଥିଲା ମୃତ୍ୟୁର ପାର୍ସଲ : ପାଟଣାଗଡ଼ ଗିଫ୍ଟ ବୋମା ବିସ୍ଫୋରଣ ଖୋଳତାଡ଼ ପାଇଁ ରାୟପୁରରେ ବଲାଙ୍ଗିର ପୋଲିସ୍

ପାଟଣାଗଡ଼: ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶେଇ ସାରା ଜୀବନ ଆଗକୁ ବଢିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ। ସୌମ୍ୟଶେଖର ଆଉ ରୀନାଙ୍କ ଏ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫ ଦିନ ବି ପୂରିଲାନି। ସଦ୍ଦିଚ୍ଛା ଛଳରେ ଆସିଥିବା ମୃତ୍ୟୁର ଉପହାରରେ ଜଳିଗଲା ଜୀବନ। ଛାରଖାର ହୋଇଗଲା ସବୁ କିଛି।

ଘଟଣାର ଦିନକ ପରେ ସାଇଣ୍ଟିଫିକ୍ ଟିମ୍, ସମ୍ବଲପୁର ରିଜିଓନାଲ୍ ଫରେନ୍ସିକ୍ ଲାବ୍‌ର ବିଶେଷଜ୍ଞ ଓ ବୋମା ନିଷ୍କ୍ରିୟକାରୀ ଦଳ ସହ ଆଜି ପାଟଣାଗଡ଼ ଭୋଳାନାଥ ପଡ଼ାର ଏ ଘରେ ପହଞ୍ଚିଛନ୍ତି। ପ୍ରାଥମିକ ତଦନ୍ତରୁ ପାର୍ସଲରେ ଇଲେକ୍ଟ୍ରୋନିକ୍ସ ବୋମା ରହିଥିବା ସନ୍ଦେହ କରୁଛନ୍ତି ଫରେନ୍ସିକ୍ ବିଶେଷଜ୍ଞ।

ତେବେ ଗିଫ୍ଟ ପ୍ୟାକେଟ୍‌ରେ କିଏ, କାହିଁକି ଖଞ୍ଜିଥିଲା ଷଡ଼ଯନ୍ତ୍ରର ବାରୁଦ? କେଉଁଠୁ ଆସିଥିଲା ଏ ଗିଫ୍ଟ ପ୍ୟାକେଟ୍ । ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ସ୍କାଏକିଙ୍ଗ୍‌ କୋରିଅର ଜରିଆରେ ଏଇ ଗିଫ୍ଟ ପ୍ୟାକେଟ୍ ରାୟପୁରରୁ ଆସିଥିବା ଜଣାପଡ଼ିଛି। କିଏ ଏହି କୋରିଅର ପଠାଇଛି ତାର ଛାନ୍‌ଭିନ୍‌ ପାଇଁ ବଲାଙ୍ଗିର ପୋଲିସ୍‌ର ଦୁଇଟି ଟିମ୍ ରାୟପୁର ସହ ରାଜ୍ୟ ବାହାରର ଅନ୍ୟ ଏକ ସ୍ଥାନକୁ ଯାଇଛି। ସେପଟେ ସୌମ୍ୟଶେଖରଙ୍କ ପୂର୍ବତନ ଘରୋଇ ସହାୟକ ଏହି ଘଟଣା ପଛରେ ଭୋଜିଦିନ ଆସିଥିବା କିଛି ସାଙ୍ଗଙ୍କୁ ସନ୍ଦେହ କରୁଛନ୍ତି।

ଏପଟେ ହାତରୁ ମେହେନ୍ଦି ଆଉ ପାଦରୁ ଅଳତା ନଶୁଖୁଣୁ, ମଥାର ସିନ୍ଦୂର ହରାଇଥିବା ସୌମ୍ୟଶେଖରଙ୍କ ପତ୍ନୀ ରୀନା ଏବେ ବି ବୁର୍ଲା ମେଡିକାଲ୍‌ରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଝିଅର ଏଭଳି ସ୍ଥିତିରେ ନିଜ ଗାଁ ବୌଦ ଜିଲ୍ଲା ଘଣ୍ଟାପଡ଼ା ସ୍ତବ୍ଧ। ଲୁହରେ ଭାସୁଛି ରୀନାଙ୍କ ବାପଘର।

You might also like