ଡାକ୍ତର କଳିରେ ବଳି ପଡ଼ିଲେ ରୋଗୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ କଳିରୁ ରୋଗୀ ମୃତ୍ୟୁ ଅଭିଯୋଗ। ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ଚିକିତ୍ସାରେ ବିଳମ୍ବ ହୋଇଥିଲା। କିଏ ଚିକିତ୍ସା କରିବ ସେନେଇ ଦୁଇଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ବେଳେ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ ଅାଣିଛନ୍ତି।

ଗଁଦିଅା ଗୁଣ୍ଡୁରାପଶି ଗାଁର ତ୍ରୈଲୋକ୍ୟ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ପ୍ରଥମେ ଗଁଦିଅାର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଦାୟିତ୍ୱରେ ଥିବା ଦୁଇଜଣ ଡାକ୍ତରଙ୍କ ମଧ୍ୟରେ କିଏ ଚିକିତ୍ସା କରିବ ସେନେଇ ବଚସା ହୋଇଥିଲା। ରୋଗୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଦୁଇଜଣ ଅଫିସ ଭିତରକୁ ଯାଇ କିଏ ଚିକିତ୍ସା କରିବ ନିଷ୍ପତ୍ତି ନେଇ ଫେରିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା ବୋଲି ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଘଟଣାର ତଦନ୍ତ କରାଯିବ। ସେପଟେ କ୍ଷତିପୂରଣ ଦାବିରେ ବିଧାପୁରରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି ଲୋକେ ।

You might also like