ସୁନ୍ଦରଗଡ଼ରେ ଉଗ୍ର ହେଉଛି ପଥରଗାଡ଼ି ଆନ୍ଦୋଳନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ ଉଗ୍ର ରୂପ ଧାରଣ କରିଛି ପଥରଗାଡ଼ି। ମଙ୍ଗଳବାର କୁତ୍ରା ଥାନା ତେଲିଘନା ଗାଁରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପଥରଗାଡ଼ି ବିରୋଧୀ ଡମ୍ବରୁଧର ସେଠଙ୍କ ମୃତ୍ୟୁ ହୋଇଥିବାବେଳେ ତୀବ୍ର ହେବାରେ ଲାଗିଛି ପ୍ରତିକ୍ରିୟା। ବିପକ୍ଷବାଦୀ ଏବଂ ମୃତକଙ୍କ ପରିବାର ଲୋକେ ତେଲିଘନାରେ ରାସ୍ତାରୋକ କରିବା ସହ ଉପଯୁକ୍ତ କ୍ଷତିପୂରଣ ଓ ପଥରଗାଡ଼ି ଆନ୍ଦୋଳନକାରୀଙ୍କୁ ଗିରଫ ଦାବି କରିଛନ୍ତି।

ଆଦିବାସୀଙ୍କ ସ୍ୱାର୍ଥ ଏବଂ ବିକାଶକୁ ଦୃଷ୍ଟିରେ ରଖି ପେସା ଆଇନ ଓ ଜଙ୍ଗଲ ଅଧିକାର ଆଇନ-୨୦୦୬ କାର୍ଯ୍ୟକାରୀ କରି ଜଙ୍ଗଲ ଜମିରେ ବାସ କରୁଥିବା ଆଦିବାସୀଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଜାରି ରହିଛି ପଥରଗାଡ଼ି ଆନ୍ଦୋଳନ। ସମ୍ବିଧାନର ଧାରା ୨୪୪(୧)ର ଦ୍ୱାହି ଦେଇ ନିଜ ଗାଁକୁ ନିଜେ ଶାସନ କରିବାର ଅଧିକାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି।

ସେପଟେ ସ୍ଥିତିକୁ ଦେଖି ଜିଲ୍ଲାର ୪ ବିଧାୟକ ଏବଂ ପଥରଗାଡ଼ି ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ଡାକି ଗତକାଲି ଆଲୋଚନା କରିଥିଲେ ଜିଲ୍ଲାପାଳ। ଏହାସତ୍ତ୍ୱେ ସମାଧାନ ବାଟ ବାହାରିପାରିନଥିବାବେଳେ ଆଗାମୀ ଦିନରେ ଅନ୍ୟ ୧୩ ଜିଲ୍ଲାରେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନର ନେତୃତ୍ୱ ନେଉଥିବା ବିଧାୟକ ଜର୍ଜ ତିର୍କୀ। ସେପଟେ ଏଭଳି ଆନ୍ଦୋଳନକୁ ବିରୋଧ କରିଛନ୍ତି ବିଭିନ୍ନ ଦଳର ନେତା।

ହକ୍ ପାଇଁ ଜାରି ରହିଥିବା ଏଭଳି ପଥରଗାଡ଼ି ଆନ୍ଦୋଳନ ଆଗକୁ କି ରୂପ ନେଉଛି, ତାକୁ ଏବେ ଅପେକ୍ଷା।

You might also like