ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଲେ ରୀମା

ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର କରିଛନ୍ତି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ୨୫ ଦିନ ହେଲା ଯେଉଁ ଦୁଃଖଦ ଖବର ପରିବାର ଲୋକେ ଲୁଚାଇ ରଖିଥିଲେ, ଏକ ପୁରୁଣା ଖବର କାଗଜ ଦେଖି ସବୁକଥା ଜାଣିଗଲେ ରୀମା। ଆଉ ତା’ପରେ ତାଙ୍କୁ କିଏ କେମିତି ବା ସମ୍ଭାଳି ପାରନ୍ତା? ପରିବାର ଲୋକେ ଯେତେ ବୁଝେଇଲେ ବି ରୀମା ବୁଝିବାକୁ ନାରାଜ। ମେଡିକାଲ୍ ପ୍ଲାଷ୍ଟିକ ସର୍ଜରୀ ଓ୍ୱାର୍ଡରୁ ୫ଘଣ୍ଟା ଧରି ଶୁଭିଥିଲା କରୁଣ ଆର୍ତ୍ତଚିତ୍କାର।

ଏପଟେ ନ୍ୟାୟ ଆଶାରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ ଓ ରୀମାରାଣୀଙ୍କ ବାପା। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେବା ସହ ତଦନ୍ତକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି।

ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ। ତେବେ ରାୟପୁର ଓ ଭବାନୀପାଟଣାରେ ଛାନ୍‌ଭିନ୍‌ପରେ ବି ପୋଲିସ ହାତ ଖାଲି। ସେପଟେ ଏହା ଏକ ଆନ୍ତରାଜ୍ୟ ମାମଲା ହୋଇଥିବାରୁ, କ୍ରାଇମ ବ୍ରାଞ୍ଚ ଏଡିଜି ଏହାର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବେ ବୋଲି ଗତକାଲି ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।

You might also like