ରିଲ୍ ନୁହଁ ରିଅଲ ଲାଇଫ୍‌ର ‘ପ୍ୟାଡମ୍ୟାନ’

ବାଲେଶ୍ୱର : ନିକଟରେ ରିଲିଜ ହୋଇଥିଲା ହିନ୍ଦୀ ଫିଲ୍ମ ‘ପ୍ୟାଡମ୍ୟାନ’।  ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସାନିଟାରି ନାପକିନକୁ ନେଇ ଫିଲ୍ମଟି ତିଆରି ହୋଇଥିବାବେଳେ, କମ୍‌ ଦାମରେ କିଭଳି ମହିଳାମାନେ ଏହାକୁ ବ୍ୟବହାର କରିପାରିବେ ସେନେଇ ଅଣ୍ଟା ଭିଡିଥିଲେ ଅକ୍ଷୟ।

ଆଉ ସେହିଭଳି ଜଣେ ରିୟଲ୍‌ ଲାଇଫ୍‌ର ପ୍ୟାଡମ୍ୟାନ ହେଉଛନ୍ତି ଓଡିଶାର ଜୟନ୍ତ କୁମାର ଦାସ। ବାଲେଶ୍ୱର ପାତ୍ରପଡାରେ ବାସ କରୁଥିବା ଜୟନ୍ତ ଏବେ ମହିଳାଙ୍କୁ କମ୍ ଦାମରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଭିଡିଛନ୍ତି ଅଣ୍ଟା। ଗାଁରେ ଏକ ସ୍ତ୍ରୀ ସ୍ୱାଭିମାନ ସେଣ୍ଟର ଖୋଲି ମହିଳାଙ୍କୁ ସ୍ୱାବଲମ୍ବି କରିବା ସହ ପ୍ରସ୍ତୁତ କରୁଛନ୍ତି କମ୍ ଦାମରେ ସାନିଟାରି ନାପକିନ୍।

କେନ୍ଦ୍ର ସରକାରଙ୍କ କମନ୍ ସର୍ଭିସ ସେଣ୍ଟର ଅଧିନରେ ବାଲେଶ୍ୱର ପାତ୍ରପଡାରେ ଖୋଲିଥିଲେ ଏହି ସେଣ୍ଟର। ଏଥିପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୨ଲକ୍ଷ ୯୪ହଜାର ଟଙ୍କା। ପରେ କିଛି ମହିଳାଙ୍କୁ ନିଯୁକ୍ତି ଦେଇ ପ୍ରସ୍ତୁତ କରିଥିଲେ ସାନିଟାରି ନାପକିନ୍। ଏହାଦ୍ୱାରା ଜୟନ୍ତ ନିଜେ ରୋଜଗାରକ୍ଷମ ହେବା ସହ ମହିଳାଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିପାରିଛନ୍ତି।

ଖାଲି ସେତିକି ନୁହେଁ ଏହାର ବ୍ୟବହାର ନେଇ ମଧ୍ୟ ଜୟନ୍ତ ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଜୟନ୍ତଙ୍କ ଏଭଳି ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଆଇନ ମନ୍ତ୍ରୀ ଟୁଇଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି।

You might also like