କାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ମୌସୁମୀ ବର୍ଷାକୁ ନେଇ ପରିବେଶ ସିନା ଥଣ୍ଡା ହୋଇଛି। ହେଲେ ସଂସଦରେ ବୋହିପାରେ ଗରମ ହାଓ୍ୱା। କାରଣ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଖାସ୍ କରି ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଅାକ୍ରମଣ ପ୍ରସଙ୍ଗକୁ ଅସ୍ତ୍ର କରି ମୋଦି ସରକାରକୁ ଘେରିବାକୁ ସଜ ହୋଇଛନ୍ତି ବିରୋଧୀ। ଚାଷୀ ସମସ୍ୟା, ପିଏନ୍‌ବି ସ୍କାମ୍, ଅାର୍ଥିକ ନୀତି, ବେକାରୀଙ୍କ ନିଯୁକ୍ତି, କାଶ୍ମୀର ବ୍ୟାପାର ପରିଚାଳନା ଅାଦି ପ୍ରସଙ୍ଗ ଉଠାଇ ମୋଦି ସରକାରକୁ କାଠଗଡ଼ାରେ ଠିଅା କରିବାକୁ ଉଦ୍ୟମ କରିବେ ମିଳିତ ବିରୋଧୀ ଦଳ।

ଏପଟେ ସଂସଦର ଅନୁମୋଦନ ଅପେକ୍ଷାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ରହିଛି। କିଛି ନୂଅା ବିଲ୍ ବି ଅାସିବାର ରହିଛି। ଟ୍ରିପଲ ତଲାକ୍ ବିଲ୍‌କୁ ରାଜ୍ୟସଭାରେ ପାସ୍ କରାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଏଣେ ମହିଳା ସଂରକ୍ଷଣ ବିଲ୍‌କୁ ପାସ୍ କରାଇବା ଉପରେ ରହିବ କଂଗ୍ରେସର ଗୁରୁତ୍ୱ। ଏନେଇ କଂଗ୍ରେସ ସମର୍ଥନ କରିବ ବୋଲି ଦଳ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେହିପରି ଏସ୍‌ସି/ଏସ୍‌ଟି ସଂରକ୍ଷଣ ସଂଶୋଧନ ସମେତ ଅାଉ କେତେକ ନୂଅା ବିଲ୍ ଅାଗତ ହେବାର ଅଛି। ତେବେ ସରକାର ବିରୋଧୀଙ୍କ ସାମ୍ନା କରି ଗୃହକୁ କେମିତି ଚଳାଉଛନ୍ତି ତା’ ଉପରେ ନଜର ରହିବ। ଅାଜି ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଅାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ଅାଞ୍ଚଳିକ ଦଳମାନେ ନିଜ ନିଜ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କଠୁ ଉତ୍ତର ଦାବି କରିବେ। ବିଜେଡି ମହାନଦୀ, ପୋଲାଭରମ, ଧାନର ଏମ୍ଏ‌ସ୍‌ପି ସାଙ୍ଗକୁ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇବ ବୋଲି କହିଛି।

ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି।

You might also like