ଅନୁଗୁଳ ସାତକୋଶିଅା ଅଂଚଳରେ ବାଘ ଆତଙ୍କ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ନିକଟ ଅଂଚଳରେ ବାଘ ଆତଙ୍କ । କାଳେ ଗାଁକୁ ମାଡ଼ି ଆସିବ ବାଘ ସେଇ ଚିନ୍ତାରେ ଲୋକଙ୍କ ନିଦ ହଜିଯାଇଛି।

ବାଘ ବଂଶ ବିସ୍ତାର ଲାଗି ମଧ୍ୟପ୍ରଦେଶରୁ ଅନୁଗୁଳ ସାତକୋଶିଅା ଅଭୟାରଣ୍ୟକୁ ଅଣାଯାଇଛି ବାଘ ଓ ବାଘୁଣୀ। ପ୍ରଥମେ ଏନ୍‌କ୍ଲୋଜର୍‌ରୁ ଜଙ୍ଗଲକୁ ମହାବଳ ଛାଡ଼ିଛି ବନ ବିଭାଗ। ତେଣୁ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଘାରିଛି ଏହି ବାଘ ଚିନ୍ତା। ବାଘ କାଳେ ଜନବସତି ମୁହାଁ ହୋଇ କିଛି କ୍ଷତି କରିବସିବ।ସଂଧ୍ୟା ନ ହେଉଣୁ ତାଟି କବାଟ ପଡ଼ିଯାଉଛି । ଦିନ ଦ୍ୱିପହରରେ ବି ଠେଙ୍ଗା, ବାଡ଼ି ନଧରି ବାହାରକୁ ଯିବାକୁ ସାହସ କରୁନାହାନ୍ତି ଲୋକେ। ମଧ୍ୟପ୍ରଦେଶରୁ ଅଣାଯାଇ ସାତକୋଶିଅା ଅଭୟାରଣ୍ୟରେ ଛଡ଼ା ଯାଇଥିବା ମହାବଳକୁ ପ୍ରଥମେ କିଛି ଦିନ ଏନ୍‌କ୍ଲୋଜର୍‌ରେ ରଖାଯିବା ପରେ ଜୁଲାଇ ୬ ତାରିଖରୁ ଜଙ୍ଗଲକୁ ଛାଡ଼ିଛି ବନବିଭାଗ। ଅାଉ ସେବେଠୁ ଅଭୟାରଣ୍ୟ ନିକଟସ୍ଥ ଅଞ୍ଚଳରେ ଯେମିତି ବାଘ ଅାତଙ୍କ ଖେଳିଯାଇଛି। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ବାଘ ଭୟ।

ସେପଟେ ବନ ବିଭାଗ କହିଛି, ବାଘକୁ ନେଇ ଅାତଙ୍କିତ ହେବାର କୌଣସି କାରଣ ନାହିଁ । ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା କହିଛନ୍ତି ବନ ବିଭାଗ ବାଘର ଗତିବିଧି ଉପରେ କଡ଼ା ନଜର ରଖିଛି। ବାଘ ଜନବସିତି ଆଡ଼କୁ ମୁହାଁଇବାର ସମ୍ଭାବନା ନାହିଁ ।

(ଅନୁଗୁଳରୁ ବିରଜା ଦାସଙ୍କ ରିପୋର୍ଟ)

You might also like