ସୀମା ଟପିଲା କିଟ୍ର ଗୁଣ୍ଡାଗିରି
ଭୁବନେଶ୍ୱର : ପ୍ରଥମେ ଜମି ହଡ଼ପର ଦାଦାଗିରି ଆଉ ଏବେ ସାମ୍ରାଜ୍ୟ ବିସ୍ତାର ହେବା ପରେ ଗୁଣ୍ଡାଗର୍ଦ୍ଦି। ନୀତି ଆଦର୍ଶର ପାଠ ପଢ଼ାଉଥିବା କିଟ୍ର ଭୟଙ୍କର ଗୁଣ୍ଡାରାଜ୍। ଜମି କେଳେଙ୍କାରୀ ଅଭିଯୋଗ ସମ୍ପର୍କିତ ଖବର ସଂଗ୍ରହ ପାଇ ଯାଇଥିବା ଓଟିଭି ପ୍ରତିନିଧିଙ୍କୁ କରାଯାଉଛି ସଂଘବଦ୍ଧ ଆକ୍ରମଣ। ଜଣେ କି ଦୁଇ ଜଣ ନୁହଁନ୍ତି, ଆକ୍ରମଣରେ ସାମିଲ ହୋଇଛନ୍ତି କିଟ୍ର ଏକାଧିକ ସୁରକ୍ଷା କର୍ମୀ, ଭଡାଟିଆ ଗୁଣ୍ଡା ଓ କେତେକ କର୍ମଚାରୀ। ଓଟିଭି ସାମ୍ବାଦିକଙ୍କୁ ତଣ୍ଟିଆ ମାରି ଧମକ ଦେଉଛନ୍ତି। କ୍ୟାମେରା ବନ୍ଦ କରିବାକୁ ଚେତାବନୀ ଦେଉଛନ୍ତି। ଦାଦାଗିରିର ଚିତ୍ର ରେକର୍ଡିଂ ହୋଇଥିବା ଚିପ୍କୁ ନେବାକୁ ଉଦ୍ୟମ ବି କରୁଛନ୍ତି। ଘଟଣାସ୍ଥଳରେ ପୋଲିସ ଅଧିକାରୀ ବି ଅଛନ୍ତି, ହେଲେ ପରବାୟ ନାହିଁ କାହାକୁ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚନ୍ଦ୍ରଧ୍ୱଜ ସାହୁଙ୍କ ଜମିକୁ ଜୋରଜବରଦସ୍ତ ଦଖଲ କରି ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗକୁ ନେଇ ପୂର୍ବରୁ ଖବର ଦେଖାଇଥିଲା ଓଟିଭି। ଆଜି ସେହି ସ୍ଥାନରେ ପୁଣି ନିର୍ମାଣ କାମ ଚାଲିଥିବା ନେଇ ତାକୁ ଅଟକାଇବାକୁ ପହଞ୍ଚିଥିଲେ ଚନ୍ଦ୍ରଧ୍ୱଜ ଓ ତାଙ୍କର କେତେକ ସମର୍ଥକ। ହେଲେ ସ୍ଥାନୀୟ ପୋଲିସ୍ ପହଞ୍ଚି ପାଲଟା କିଟ୍ ସପକ୍ଷରେ ଓକିଲାତି କରୁଥିବା ଚିତ୍ର ସାମ୍ନାକୁ ଆସିଥିଲା। ଏହାକୁ ନେଇ ଉତ୍ତେଜନା ଖବର ପାଇ ଓଟିଭି ପ୍ରତିନିଧି ପହଞ୍ଚିଥିବାବେଳେ ତାଙ୍କୁ ଏଭଳି ଭାବେ ଆକ୍ରମଣ କରାଯାଇଛି। ସବୁ କିଛି ପୋଲିସ୍ ଆଖି ସାମ୍ନାରେ ଘଟି ଚାଲିଥିଲେ ବି ଡିସିପି କହିଛନ୍ତି ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କିଟ୍ କର୍ତ୍ତୃପକ୍ଷଙ୍କ ଜମି କେଳେଙ୍କାରୀ ଅଭିଯୋଗ ସମ୍ପର୍କରେ କ୍ରମାଗତ ଭାବେ ନିରପେକ୍ଷ ଖବର ପ୍ରସାରଣ କରିଆସୁଛି ଓଟିଭି। ପଥରଗାଡ଼ିଆ ମୌଜାରେ ଆଦିବାସୀଙ୍କ ଜମିକୁ ଅକ୍ତିଆର କରି ଶିକ୍ଷାନୁଷ୍ଠାନ ନିର୍ମାଣ ହେଉ କିମ୍ବା ଜଣେ ବିଧବା ମହିଳାଙ୍କ ଜମିକୁ ମାଡ଼ିବସି ଜଗନ୍ନାଥ ମନ୍ଦିର ଛିଡ଼ା କରାଇଥିବା ଅଭିଯୋଗ ହେଉ। ଲଗାତାର କିଟ୍ ବିରୋଧରେ ଯାହାସବୁ ଅଭିଯୋଗ ସାଧାରଣ ଲୋକେ ସାମ୍ନାକୁ ଆଣୁଛନ୍ତି, ତାକୁ ଓଟିଭି ପ୍ରସାରଣ କରିଛି। ଯାହାର ଆକ୍ରୋଶ ଆଜି ଏଭଳି ଦେଖିବାକୁ ମିଳିଥିଲା।
ତେବେ ପ୍ରଶ୍ନ ଉଠୁଛି, କାହା ପ୍ରରୋଚନାରେ ଏଭଳି ଗୁଣ୍ଡାଗର୍ଦ୍ଦି କରିଛନ୍ତି କିଟ୍ର ସୁରକ୍ଷାକର୍ମୀ ଏବଂ ଭଡ଼ାଟିଆ ଗୁଣ୍ଡା ? ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି, ପୋଲିସକୁ କିଟ୍ ସପକ୍ଷରେ କାମ କରିବାକୁ କିଛି ଉପରୁ ନିର୍ଦ୍ଦେଶ ନଥିଲା ତ ? କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଜେଡି ଟିକେଟ୍ରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ସରକାରଙ୍କ ଅଭୟ ବର ମିଳିଛି କି ?
ସେପଟେ ମୂଳ ଜମି ମାଲିକ ଚନ୍ଦ୍ରଧ୍ୱଜ ସାହୁଙ୍କୁ ପୋଲିସ ଧରିନେଇଛି। ଅଭିଯୁକ୍ତଙ୍କ ବଦଳରେ ଅଭିଯୋଗକାରୀ ଚନ୍ଦ୍ରଧ୍ୱଜଙ୍କୁ ପୋଲିସ ଧରି ପଚରାଉଚରା କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କ ଜମିକୁ ଜବରଦଖଲ କରି କିଟ୍ କୋଠା ନିର୍ମାଣ କରୁଥିଲା। ପୁଣି ଥରେ ନିର୍ମାଣ କାମ ଚାଲିଥିବାବେଳେ ଆଜି ଏହାକୁ ବନ୍ଦ କରିବାକୁ ଯାଇଥିଲେ ଚନ୍ଦ୍ରଧ୍ୱଜ । କିନ୍ତୁ ଘଟଣାସ୍ଥଳରୁ ଚନ୍ଦ୍ରଧ୍ୱଜଙ୍କୁ ଉଠାଇ ଆଣିଥିଲା ଇନ୍ଫୋସିଟି ପୋଲିସ ତାଙ୍କୁ ଏବେ ପଚରାଉଚରା କରୁଛି