ଓଡ଼ିଶାବାସୀଙ୍କ ସହ ଏମିତି ଥିଲା ୨୧ ବର୍ଷର ଯାତ୍ରା
ବିତି ଯାଇଛି ୨୧ ବର୍ଷ। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ଅଭିଜ୍ଞତା ଓ ଦର୍ଶକଙ୍କ ମତାମତକୁ ପାଥେୟ କରି ଓଟିଭି, ଓଡ଼ିଶାରେ ଖବର ପ୍ରସାରଣର ସୃଷ୍ଟି କରିଛି ନୂଆ ଧାରା। କେବୁଲ୍ ଟିଭିରୁ ଡିଜିଟାଲ୍, ସମୟ ସହ ତାଳ ଦେଇ ପାଲଟିଛି ଅତ୍ୟାଧୁନିକ ଟେକ୍ନୋଲୋଜି ସଂପନ୍ନ ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ୍। ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନୀତିକୁ ଆଧାର କରି ଜାରି ରହିଛି ଦୁଇ ଦଶନ୍ଧିର ସଫଳ ଯାତ୍ରା।
ଓଟିଭି, ଖବର ପ୍ରସାରଣ ଅଭିଯାନରେ ଓଡ଼ିଶା ଇତିହାସରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ। ଉତ୍କଳ ପ୍ରଦେଶର ରାଜନୈତକ ଓ ସାମାଜିକ ବ୍ୟବସ୍ଥାକୁ ଏକ ନୂଆ ଦିଶା ଦେଇଥିବା ସବୁଠୁ ଲୋକପ୍ରିୟ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଯେଉଁ ସମୟରେ ଓଡ଼ିଶା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା, ଠିକ୍ ସେତିକି ବେଳେ ଜନ୍ମ ନେଇଥିଲା ରାଜ୍ୟର ପ୍ରଥମ ଘରୋଇ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ ଓଟିଭି।
୧୯୯୭ ମସିହା ଏପ୍ରିଲ ୧୮ ତାରିଖ ଏକ ନୂଆ ପରିଚୟ ନେଇ ଓଡ଼ିଶାବାସୀଙ୍କ ସାମ୍ନାକୁ ଆସିଥିଲା। ଆଉ ସେହିଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମହାପ୍ରୟାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରି ଓଟିଭି ପ୍ରଥମ କରି ପହଞ୍ଚିଥିଲା ଦର୍ଶକଙ୍କ ପାଖରେ। ଯେଉଁ ସମୟରେ ଓଡ଼ିଶାବାସୀ କେବଳ ସନ୍ଧ୍ୟା ୭ଟାରେ ଦୂରଦର୍ଶନରେ ସମାଚାର ଦେଖିବାର ସୁଯୋଗ ପାଉଥିଲେ ସେ ସମୟରେ ଓଟିଭି ଆରମ୍ଭ କରିଥିଲା ପ୍ରାଇମଟାଇମ୍ ନ୍ୟୁଜ୍ ବୁଲେଟିନ୍। ପ୍ରତିଦିନ ଟ୍ୱିନ୍ ସିଟିର ରାଜନୀତି, ଅପରାଧ, କଳା, ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ପ୍ରତିଦିନ ମାତ୍ର ଦିନ କେଇଟା ଭିତରେ ପାଇଗଲା ବିପୁଳ ଦର୍ଶକୀୟ ଆଦୃତି।
ଠିକ୍ ୨ବର୍ଷ ପରେ ଓଡ଼ିଶାକୁ ଗ୍ରାସିଥିବା ୧୯୯୯ ମହାବାତ୍ୟା ବେଳର ପ୍ରକୃତିର ପ୍ରଳୟଙ୍କରୀ ରୂପକୁ କ୍ୟାମେରାରେ ତୋଳି ଧରି ପ୍ରଦେଶ, ଦେଶ ଓ ପୃଥିବୀବାସୀଙ୍କୁ ଦେଖାଇଥିଲା ମହାବାତ୍ୟାର ବିଭୀଷିକା। ୨୦୦୬ରେ ପରିଣତ ହୋଇଥିଲା ସାଟେଲାଇଟ୍ ଚ୍ୟାନେଲରେ। ରାଜୀନୀତି ହେଉ କି ଅର୍ଥନୀତି, ମାଓ ଅପହରଣ ପରି ସାମାଜିକ ସମସ୍ୟା ହେଉ କି ହୁଡ୍ ହୁଡ୍ ଓ ଫାଇଲିନ୍ ପରି ପ୍ରାକୃତିକ ବିପର୍ଯ୍ୟୟ, ଅବା ଖଣି ମହାଲୁଟ୍ ଓ ମର୍ମନ୍ତୁଦ ଦୁର୍ଘଟଣା, ପ୍ରତିଟି ଘଟଣାରେ ପ୍ରତିଟି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କ ପାଖରେ ଠିଆ ହୋଇଛି ଓଟିଭି।
ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଥିବା ପ୍ରତିଟି ଖବର ପାଇଁ ଆମ ପ୍ରତିନିଧି ପହଞ୍ଚିଛନ୍ତି ଗ୍ରାଉଣ୍ଡ ଜିରୋରେ ଏପରିକି ରାଜ୍ୟ ବାହାରୁ ବି ଓଡ଼ିଆଙ୍କ ଖବର ଆପଣଙ୍କ ନିକଟରେ ପ୍ରଥମେ ପହଞ୍ଚାଉଛୁ ଆମେ। ଘଟଣାର ପ୍ରତି ପକ୍ଷକୁ ନିଜ ସ୍ୱର ଉପସ୍ଥାପନ କରିବାର ସୁଯୋଗ ଦେଇ ସମସ୍ତଙ୍କ ପାଖରେ ହୋଇପାରିଛି ବିଶ୍ୱାସଯୋଗ୍ୟ।
କେବଳ ଖବର ନୁହେଁ, ବହୁ ଲୋକପ୍ରିୟ କରେଣ୍ଟ ଆଫେୟାର୍ସ କାର୍ଯ୍ୟକ୍ରମ-ଯେମିତିକି ନ୍ୟୁଜ୍ ଫ୍ୟୁଜ୍, ଆଶାର ଆଲୋକ, ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ୍, ଆପଣ ଏକା ନୁହଁନ୍ତି ଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଏହା ଧୀରେ ଧୀରେ ପାଲଟି ଯାଇଛି ଓଡ଼ିଶାବାସୀଙ୍କ ଅନ୍ତଃସ୍ୱର।
ଖାଲି ସେତିକି ନୁହେଁ ସମୟ ଓ ସାଇନ୍ସ ସହ ତାଳ ଦେଇ ପାଲଟିଛି ଟେକ୍ନୋଲୋଜି ସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ। ଏହା ଭିତରେ ବିତିଯାଇଛି ୨୧ ବର୍ଷ। ସେ ଦିନର ଶିଶୁ ଆଜି ପାଲଟିଛି ଦାୟିତ୍ୱ ସଂପନ୍ନ ଗଣମାଧ୍ୟମ। ଆପଣ ମାନଙ୍କ ବିଶ୍ୱାସକୁ ପାଥେୟ କରି ଅତିକ୍ରମ କରିବାକୁ ହେବ ଆହୁରି ଅନେକ ପଥ। ଦରକାର କେବଳ ଆପଣଙ୍କ ଶ୍ରଦ୍ଧା।