ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ।

ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି।

ଜଣେ ଅତିରିକ୍ତ ଡିସିପି ଏହି ଘଟଣାର ତଦନ୍ତ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ହେବାସହ ଯଥାଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟ୍ୱିନ୍‌ ସିଟି ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

ସୂଚନାଥାଉ କି, କଟକ ନୂଆବଜାର ଅଞ୍ଚଳରେ ଗତ ମଙ୍ଗଳବାର ଦିନ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହ ପିସିଆର୍‌ ଭ୍ୟାନ୍‌ରେ ଥିବା କର୍ମଚାରୀଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଏତଲା ହେବା ସହ ଆଇନଜୀବୀମାନେ ଚାଉଳିଆଗଞ୍ଜ ଥାନା ମଧ୍ୟ ଘେରାଉ କରିଥିଲେ।

ଅନ୍ୟପକ୍ଷରେ ଆଇନ୍‌ଜୀବୀଙ୍କ ଏକ ପ୍ରତିନିଧି ଦଳ ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ଆଜି ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।

You might also like