ପାଓ୍ୱାର୍‌ କରିଡର୍‌ରେ ବିଷମ ବଣ୍ଟନ; ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ହେମନ୍ତ ଶର୍ମା, ବିଶାଳ ଦେବ, ଜି. ମାଥିଭାଥନନ୍, ଅଶୋକ ମୀନା, କିଶନ୍ କୁମାର। ଜଣେ ଜଣେ ଅାଇଏଏସ୍ ଅଫିସରଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଭଳି ତାଲିକା ଏଇଠି ସରିନି, ଅାଗକୁ ବି ବଢ଼ିଛି। ସେପଟେ ଏମିତି ଅନେକ ଅାଇଏଏସ୍ ଅଧିକାରୀ ଅଛନ୍ତି ଯେଉଁମାନଙ୍କୁ କି ମିଳିଛି ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ। ହେଲେ ରାଜ୍ୟ ପ୍ରଶାସନରେ କାହିଁକି ଏଭଳି ସ୍ଥିତି?

ଅଭିଯୋଗ ହେଉଛି ୟା ପଛରେ ରହିଛି ତୃତୀୟ ମହଲା ଅାଶୀର୍ବାଦର ପ୍ରଭାବ। ଯିଏ ଥାର୍ଡ ଫ୍ଲୋର୍‌ର ଯେତେ ଘନିଷ୍ଠ ଏବଂ ଯିଏ ପରୋକ୍ଷରେ ଦଳ ଓ ସରକାରଙ୍କୁ ସୁହାଇଲାଭଳି କାର୍ଯ୍ୟ ସଂପାଦନ କରିପାରୁଥିବେ ତାଙ୍କୁ ସେତେ ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଅାଯାଉଛି। ବିଭାଗ ବଣ୍ଟନ ନେଇ ସମତୁଲ ବ୍ୟବସ୍ଥା ନହେବାରୁ କୋଟେରୀ ବଢୁଛି, ଭିତରେ ଭିତରେ ଅଧିକାରୀଙ୍କ ଭିତରେ ଅସନ୍ତୋଷ ବି କୁହୁଳିଛି। ପାଓ୍ୱାର କରିଡରରେ କାର୍ଯ୍ୟର ଏଭଳି ବିଷମ ବଣ୍ଟନକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ।

ଅାଇଏଏସ୍ ଅଧିକାରୀଙ୍କ ଦାୟିତ୍ୱ ବଣ୍ଟନରେ ସରକାରଙ୍କ ଏଭଳି ପାତର ଅନ୍ତର ନୀତି ଯୋଗୁଁ ପ୍ରଶାସନରେ ଏହାର ଗୁରୁତର ପ୍ରଭାବ ପଡୁଥିବା ଚର୍ଚ୍ଚା ହେଉଛି। ସଂପୃକ୍ତ ଅଧିକାରୀ ଅଯଥା ଚାପଗ୍ରସ୍ତ ହେବା ସହ ଓ୍ୱାର୍କ ଫ୍ଲୋ ମଧ୍ୟ ପ୍ରଭାବିତ ହେଉଥିବା ଅନୁଭୂତ ହେଉଛି। ଅବସରପ୍ରାପ୍ତ ପ୍ରଶାସକଙ୍କ ମତରେ ଏଭଳି ସ୍ଥିତି ଅଧିକ ଦିନ ଚାଲିବା ଠିକ୍ ନୁହେଁ। ରାଜନେତାଙ୍କ ଅପେକ୍ଷା ନବୀନ ସରକାରରେ ସରକାରୀ ବାବୁଙ୍କ ପ୍ରଭାବ ଅଧିକକୁ ନେଇ ଚର୍ଚ୍ଚା ନୂଅା ନୁହେଁ। ତେବେ ଜଣେ ଜଣେ ଅାଇଏଏସ୍‌ଙ୍କୁ ଏଭଳି ଏକାଧିକ ଦାୟିତ୍ୱ ଦ୍ୱାରା କାର୍ଯ୍ୟସଂସ୍କୃତି ବି ବିଗିଡ଼ି ଚାଲିଥିବା ଅଭିଯୋଗ ହେଉଛି।

You might also like