କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ଗୋଟିଏ ଦୁଇଟି ଦୁଷ୍କର୍ମ ଘଟଣା ପାଇଁ ହଙ୍ଗାମା କରିବା ଠିକ୍ ନୁହେଁ
ନୂଆଦିଲ୍ଲୀ: ବିଭିନ୍ନ ଦୁଷ୍କର୍ମକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଉଥିବା ବେଳେ ପୀଡ଼ିତାଙ୍କ ପରିବାରଙ୍କ କଟା ଘାରେ ଚୂନ ଲଗାଇଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର। ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦୁଷ୍କର୍ମକୁ ବନ୍ଦ କରିହେବ ନାହିଁ। ଏତେ ବଡ଼ ଦେଶରେ ଏପରି ଗୋଟିଏ ଦୁଇଟି ଦୁଷ୍କର୍ମକୁ ନେଇ ହଙ୍ଗାମା କରିବା ଠିକ୍ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ଦେଶରେ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି।
ସନ୍ତୋଷ ଗଙ୍ଗୱରଙ୍କ ମନ୍ତବ୍ୟକୁ ଚାରିଆଡୁ କଠୋର ସମାଲୋଚନା କରାଯାଇଛି। ଦୁଷ୍କର୍ମକୁ ବିଜେପି ଓ ମୋଦି ସରକାର କେଉଁ ଦୃଷ୍ଟିରେ ଦେଖନ୍ତି, ସନ୍ତୋଷ ଗଙ୍ଗଓ୍ୱରଙ୍କ ମନ୍ତବ୍ୟରୁ ଜଣାପଡୁଛି ବୋଲି ଭର୍ତ୍ସନା କରାଯାଇଛି। ସମାଲୋଚନା ହେବା ପରେ ସ୍ପଷ୍ଚୀକରଣ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। ଟ୍ୱିଟରରେ ସ୍ପଷ୍ଟୀକରଣ ଦେଇ ଗଙ୍ଗଓ୍ୱର କହିଛନ୍ତି, ତାଙ୍କ ମତକୁ କଦର୍ଥ କରାଯାଇଛି।
ସେହିପରି ଆଉ ଏକ ଘଟଣାରେ କଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମକୁ ନେଇ ଦେଶ ବିଦେଶର ବିଭିନ୍ନ ନାମୀଦାମୀ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ମାନେ କ୍ଷୋଭ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି। ଏଭଳି ଗମ୍ଭୀର ଘଟଣାରେ ପ୍ରଥମରୁ ପ୍ରଧାନମନ୍ତ୍ରୀ କ’ଣ ପାଇଁ ଚୁପ ରହିଥିଲେ ବୋଲି ୬ ଶହରୁ ଅଧିକ ଶିକ୍ଷାବିତ୍ ମୋଦିଙ୍କୁ ଚିଠି ମାଧ୍ୟମରେ ପଚାରିଛନ୍ତି। ବିଭିନ୍ନ ସ୍ତରରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଚେଷ୍ଟା କରାଯାଉଛି ବୋଲି ଚିଠିରେ ପ୍ରଶ୍ନ କରାଯାଇଛି।