ବୃଦ୍ଧ ଦମ୍ପତିଙ୍କ ମହାନ ଉଦ୍ୟମ : ଟାଙ୍ଗରା ଭୂଇଁରେ ଗଢ଼ିଲେ ଜଙ୍ଗଲ

ନୂଆପଡ଼ା  : ବ୍ୟାପକ ଗଛ କଟା ଯୋଗୁଁ ନଷ୍ଟ ହେଉଛି ସବୁଜିମା। ଲୋପ ପାଉଛି ଜଙ୍ଗଲ। ଗ୍ଲୋବାଲ ଓ୍ୱାର୍ମିଂ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ହେଲେ ପ୍ରକୃତିର ସୁରକ୍ଷା ପାଇଁ ପ୍ରୟାସ ଜାରି ରଖିଛନ୍ତି ନୂଆପଡ଼ା ଜିଲ୍ଲାର ଲାଲମଣି । ପରିଣତ ବୟସରେ ନିଜ ପତ୍ନୀଙ୍କ ସହ ମିଶି ଜଙ୍ଗଲ ସୁରକ୍ଷା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ଲାଲମଣିଙ୍କ ଏ ମହତ ପ୍ରୟାସ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ।

ଦିନେ ଯେଉଁ ଜଙ୍ଗଲ ଥିଲା ଟାଙ୍ଗରା ଭୁଇଁ, ଏବେ ତାହା ସବୁଜିମାରେ ଭରା। ଏହି ସବୁଜ ବଳୟ ସମ୍ଭବ ହୋଇଛି କେବଳ ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ। ନୂଆପଡା ଜିଲ୍ଲା ସୁନାରୀ ସିକୁଆଁ ଗାଁର ଚାଉଳମାଚି ଜଙ୍ଗଲକୁ ଭିନ୍ନ ପରିଚୟ ଦେଇଛନ୍ତି ଲାଲମଣି ହରିଜନ ଓ ପତ୍ନୀ ଘସେନ୍।

୨୬ ବର୍ଷ ହେଲା ଜଙ୍ଗଲ ଓ ଗଛଙ୍କୁ ନିଜ ସନ୍ତାନ ପରି ଅାଦରି ନେଇଛନ୍ତି । ଗଛ ଲଗାଇବା ସହ ଯତ୍ନ ନେଇଛନ୍ତି। କାଠ ମାଫିଅାଙ୍କ କବଳରୁ ରକ୍ଷା ବି କରିଛନ୍ତି । ରାତି ପାହିଲେ ପତ୍ନୀଙ୍କୁ ସାଥୀରେ ଧରି ଜଙ୍ଗଲର ସେବା ପାଇଁ ବାହାରି ପଡନ୍ତି ବୃକ୍ଷ ପ୍ରେମୀ ଲାଲମଣି । ଘଞ୍ଚ ଜଙ୍ଗଲ ସୃଷ୍ଟି ଯୋଗୁଁ ଏବେ ଅନେକ ବନ୍ୟଜନ୍ତୁଙ୍କ ପାଇଁ ଚାଉଳମାଚି ପାଲଟିଛି ଅାଶ୍ରୟସ୍ଥଳୀ।

୨୬ ବର୍ଷ ତଳେ ଚାଉଳମାଚି ଜଙ୍ଗଲ ଉପରେ ପଡିଥିଲା କାଠ ମାଫିଅାଙ୍କ ନଜର। ୫୦ ହେକ୍ଟର୍ ପରିମିତି ଜଙ୍ଗଲରୁ ବ୍ୟାପକ ଗଛ କଟା ଫଳରେ ଟାଙ୍ଗରା ଭୂଇଁ ପାଲଟିଥିଲା। ପଥର ବି ଲୁଟ୍ ହେଉଥିଲା। ହେଲେ ଲାଲମଣି ଜଙ୍ଗଲକୁ ସୁରକ୍ଷା ଦେବା ସହ ଗଛ ଲଗାଇବା ଅାରମ୍ଭ କଲେ । ଅାଉ ଏବେ ବଡବଡ ମୂଲ୍ୟବାନ ଗଛରେ ଭରପୁର ଜଙ୍ଗଲ  ଲାଲମଣିଙ୍କ ଏହି ମହତ ଉଦ୍ଦେଶ୍ୟକୁ ପ୍ରଂଶସା କରିଛି ବନବିଭାଗ।

ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଅବଦାନ ପାଇଁ ୨୦୦୯ରେ ଲାଲମଣିଙ୍କୁ ମିଳିଥିଲା ପ୍ରକୃତି ବନ୍ଧୁ ପୁରସ୍କାର।

You might also like