ଭୁଶୁଡ଼ି ପଡ଼ିଲା କୋଠା; ୪ ଉଦ୍ଧାର, କିଛି ଲୋକ ଫସି ରହିଥିବା ଆଶଙ୍କା

ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି।

ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁଇ ଦଶନ୍ଧି ତଳେ ନିର୍ମିତ ଦୁଇଟି ବିଲ୍‌ଡିଂ ବ୍ଲକ୍‌ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବ୍ଲକ୍‌ ୪ ମହଲା ବିଶିଷ୍ଟ ଥିଲା ବୋଲି ଗୁଜରାଟ ଗୃହ ରାଜ୍ୟମନ୍ତ୍ରୀ ପ୍ରଦୀପସିଂ ଜାଡେଜା କହିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଧୁନିକ ଉପକରଣ ମଧ୍ୟ ବ୍ୟବହାର କରାଯାଇଛି ବୋଲି ସେ କହିଛନ୍ତି।

କୌଣସି ସମୟରେ ବିଲ୍‌ଡିଂ ଭୁଶୁଡ଼ି ଯିବା ଆଶଙ୍କାରେ ଗତକାଲି ଅହମଦାବାଦ ନଗର ନିଗମ ଦ୍ୱାରା ବିଲ୍‌ଡିଂ ଖାଲି କରାଯାଇଥିଲା। କିନ୍ତୁ କିଛି ପରିବାର ଲୋକେ ପୁଣି ଫେରିଅାସି ବିଲଡିଂରେ ରହିଯାଇଥିଲେ।

ଭଗ୍ନାବଶେଷ ତଳେ ୮ ରୁ ୧୦ଜଣ ଲୋକ ଫସି ରହିଥିବା ଆଶଙ୍‌ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ।

You might also like