ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡ଼ିଶା, RSP ୪୦-ଟାଟା ଷ୍ଟିଲ ୩୦ ମେଟ୍ରିକ ଟନ୍

ଭୁବନେଶ୍ୱର: ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡ଼ିଶା। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ କଳିଙ୍ଗ ନଗର ଟାଟା ଷ୍ଟିଲ ପକ୍ଷରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦିଆଯିବ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ (RSP) ପକ୍ଷରୁ ଦୈନିକ ୪୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବା ନେଇ ସ୍ଥିର ହୋଇଥିବା ବେଳେ, କଳିଙ୍ଗ ନଗର ଟାଟା ଷ୍ଟିଲ ପକ୍ଷରୁ ଦୈନିକ ୩୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅକ୍ସିଜେନ ପରିବହନ ପାଇଁ ଓଡ଼ିଶା ସରକାର ସମସ୍ତ ସହାୟତା ଯୋଗାଇବେ ବୋଲି କହିଛନ୍ତି।

ତେବେ ଦିଲ୍ଲୀକୁ ଏହି ଅକ୍ସିଜେନ ଯୋଗାଇବା ପାଇଁ ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ଦୈନିକ ୨୮ଟି ଷ୍ଟିଲ ପ୍ଲାଣ୍ଟରୁ ୧୫ଶହ ମେଟ୍ରିକ ଟନ୍ ଅକ୍ସିଜେନ୍ ଦିଆଯାଉଛି। ମେଡିକାଲ ପାଇଁ ଏବେ ଷ୍ଟିଲ ପ୍ଲାଣ୍ଟରେ ୩୦ ହଜାର ଟନ୍ ଅକ୍ସିଜେନ୍ ଗଚ୍ଛିତ ଅଛି। କରୋନା ହେବାଠାରୁ ଏଯାବତ୍ ୧.୩ ଲକ୍ଷ ଟନ୍ ଅକ୍ସିଜେନ ଦେଇ ସାରିଲେଣି ଷ୍ଟିଲ ପ୍ଲାଣ୍ଟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ୨୪ ଘଣ୍ଟା ଅକ୍ସିଜେନ ଉତ୍ପାଦନରେ ଲାଗି ପଡ଼ିଛନ୍ତି ଷ୍ଟିଲ ପ୍ଲାଣ୍ଟ ଗୁଡ଼ିକ।

ଅନ୍ୟପଟେ ଏଣିକି ଅକ୍ସିଜେନ ଗାଡ଼ିକୁ ରାସ୍ତାରେ କେହି ଅଟକାଇ ପାରିବେ ନାହିଁ। ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଅକ୍ସିଜେନ ଗାଡ଼ି ଯେଭଳି ନିର୍ବିଘ୍ନରେ ଯାଆସ କରିପାରିବ ସେନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲା ବେଳେ ବାଧା ନ ଦିଆଯାଉ ବୋଲି କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ, ମେଡିକାଲ ଅକ୍ସିଜେନ ଗାଡ଼ିକୁ ମୁକ୍ତ ଅନ୍ତଃରାଜ୍ୟ ଯାଆସ ଅନୁମତି ଦିଆଯାଉ। ଘରୋଇ ବ୍ୟତୀତ ଅନ୍ୟ ରାଜ୍ୟକୁ ଯୋଗାଣ ପାଇଁ ଉତ୍ପାଦକଙ୍କୁ ବାରଣ କରାନଯାଉ। ତେବେ ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତି ଆଦେଶ ନ ଦିଆଯିବା ପର୍ଯ୍ୟନ୍ତ ଶିଳ୍ପ ଅନୁଷ୍ଠାନ ଗୁଡ଼ିକୁ ଅକ୍ସିଜେନ ଯୋଗାଣ ବନ୍ଦ ରହିବ।

ଦେଶରେ  ଓ ରାଜ୍ୟରେ କରୋନା ସଂକ୍ରମଣ ହୁହୁ ବଢ଼ୁଥିବା ବେଳେ ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନା ବେଳେ ସେ କହିଥିଲେ, ବର୍ତ୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ। ତେଣୁ ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ। ଦେଶରେ ଅକ୍ସିିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ବୋଲି ନବୀନ କହିଥିଲେ।

You might also like