ଗୋଟିଏ କୋଠାରେ ସରକାରୀ ଓ ପ୍ରାଇଭେଟ୍ ହସ୍ପିଟାଲ : ପିପିପି ମୋଡ୍‌ରେ ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ଲୋକଙ୍କ ବିରୋଧ

ମାଲକାନଗିରି/ଢେଙ୍କାନାଳ /ନୂଆପଡ଼ା : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ନୂଆ କୋଠା। ଖାଲି କୋଠା ବଢ଼ିନି, ଶଯ୍ୟା ସଂଖ୍ୟା ୧୨୫ରୁ ୩୦୦କୁ ବି ବଢ଼ିଛି। ଦେଖି ଲାଗୁଛି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ। ହେଲେ ତାହା ପୂରଣ ହେବ କି ନା ସନ୍ଦେହ। କାରଣ ଏହି ସମାନ କୋଠାରେ ଚାଲିବ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା।

ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଅଧୀନରେ, ଏହି ନୂଆ କୋଠାରେ ଥିବା ବଳକା ଘରକୁ ପିପିପି ମୋଡ୍‌ରେ ହସ୍ପିଟାଲ କରିବା ପାଇଁ ଘରୋଇ ସଂସ୍ଥାକୁ ଯୋଗାଇ ଦେବାକୁ ମାଲକାନଗିରି ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଲେଖିଛି ଚିଠି। କୋଠାର ପ୍ରତ୍ୟେକ ମହଲାରୁ ଅଧା କିମ୍ବା ଏକ ତୃତୀୟାଂଶ ସ୍ଥାନ ଘରୋଇ ସଂସ୍ଥାକୁ ଯୋଗାଇ ଦିଆଯିବ। ଗୋଟିଏ କୋଠାରେ ସରକାରୀ ହସ୍ପିଟାଲ ସହ ଏକା ସଙ୍ଗେ ଘରୋଇ ହସ୍ପିଟାଲ ଚାଲିବ ଜାଣିବା ପରେ, ଶୋଷଣର ଶିକାର ହେବା ଆଶଙ୍କାରେ ଜିଲ୍ଲାବାସୀ।

କେବଳ ମାଲକାନିଗିରି ନୁହେଁ, ଢେଙ୍କାନାଳ ଓ ନୂଆପଡ଼ାରେ ମଧ୍ୟ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ବ୍ୟବସ୍ଥା ଲାଗୁ ହେବ।  ୨୦୦ ଶଯ୍ୟା ବିଶିଷ୍ଟ ଡିଏଚ୍ଏଚ୍ ସହିତ ଗୋଟିଏ କୋଠାରେ ଚାଲିବ ପ୍ରାୟ ୧୦୦ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ। କେବଳ ଏତିକି ନୁହେଁ, ଘରୋଇ ହସ୍ପିଟାଲକର ଗାଡ଼ି ପାର୍କିଂ, STP, WTP, ETP ଭଳି ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ମଧ୍ୟ ସେହି କ୍ୟାମ୍ପସ୍‌ରେ ଜାଗା ଯୋଗାଇଦେବେ ସରକାର। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପିପିପି ମୋଡ୍‌ରେ ଚାଲିବାକୁ ଥିବା ସେହି ଘରୋଇ ହସ୍ପିଟାଲରେ ଲୋକଙ୍କୁ ମାଗଣାରେ ରୋଗ ନିରୂପଣ ଓ ଚିକିତ୍ସା ପାଇଁ ଅଧିକ ସୁବିଧା ମିଳିବ।

You might also like