ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ

ଭୁବନେଶ୍ୱର: ଗୋଟିଏ ଗୁଳିରେ ଦୁଇଟି ଶିକାର। ନବୀନଙ୍କ ଏ ବାଣରେ ରହିଛି କେନ୍ଦ୍ରକୁ ନିଶାନା। ପୁଣି ରାଜ୍ୟ ଦେଇଛି ଗରିବଙ୍କ ପାଇଁ ନିର୍ବାଚନୀ ଭେଟି। କେନ୍ଦ୍ରର ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ଦେବ ଟଙ୍କିକିଆ ଚାଉଳ। ସରକାରଙ୍କ ହିସାବରେ ଏମାନଙ୍କ ସଂଖ୍ୟା ୩୪ ଲକ୍ଷ ୪୪ ହଜାର। ମେ ମାସରେ ଏହି ଗରିବଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ।

ଯୁକ୍ତି ଦର୍ଶାଇଥିଲେ ୨୦୧୧ ଜନଗଣନା ପରେ ଏବେ ସୁଦ୍ଧା ରାଜ୍ୟରେ ୧୦. ୨୨ ପ୍ରତିଶତ ଲୋକସଂଖ୍ୟା ବିଢିଛି। ସରକାର କରିଥିବା ଆକଳନ ଅନୁସାରେ ଏବେ ରାଜ୍ୟ ଜନସଂଖ୍ୟା ୪ କୋଟି ୬୨ ଲକ୍ଷ ୬୩ ହଜାରରେ ପହଞ୍ଚିଛି। କେନ୍ଦ୍ର କିନ୍ତୁ ୨୦୧୧ର ହିସାବ ଅନୁସାରେ ୪ କୋଟି ୧୯ ଲକ୍ଷର ୭୮ ପ୍ରତିଶତ ଅର୍ଥାତ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷାରେ ଚାଉଳ ଦେଉଛି। ତେଣୁ ବାଦ ପଡୁଥିବା ବାକି ୩୪ ଲକ୍ଷ ଲୋକଙ୍କୁ ନିଜସ୍ୱ ଯୋଜନାରେ ଚାଉଳ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା ଲାଗୁ ହେବ ବୋଲି ଆଜି ନବୀନ ଘୋଷଣା କରିଛନ୍ତି।

୨୦୧୪ ନିର୍ବାଚନ ପୂର୍ବରୁ ସରକାରକୁ ଆସିଲେ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ କରିବେ ବୋଲି ବିଜେଡି ତାର ଇସ୍ତାହାରରେ ଘୋଷଣା କରିଥିଲା। ସରକାରଙ୍କ ଏବେ ଘୋଷଣାକୁ ନେଇ କଂଗ୍ରେସ କହିଛି, ୨୦୧୧ ପରେ ଜନଗଣନା ହୋଇ ନଥିବା ବେଳେ ୩୪ ଲକ୍ଷ ଗରିବଙ୍କୁ ସରକାର ବାଛିଲେ କେମିତି। ନୂଆ ଯୋଜନା ପାଇଁ ସରକାର ବ୍ୟୟ ବରାଦ ନ କରି, କ୍ୟାବିନେଟ୍‌ରେ ପାରିତ ନ କରି କେବଳ ତୁଛା ରାଜନୀତି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସେପଟେ ବଡ଼ବଡ଼ିଆଙ୍କୁ ରାସନ କାର୍ଡ ବାଣ୍ଟି ସରକାର କରିଥିବା ଭୁଲକୁ ଏବେ ସୁଧାରିବାକୁ ଚାହିୁଁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ବିଜେଡି ମଧ୍ୟ ଏହାର ଜବାବ ରଖି କହିଛି ଏହା ବିରୋଧିଙ୍କ ଅପପ୍ରଚାର ଯଦି ସତ୍‌ସାହସ ଥିଲା ତାହେଲେ କେନ୍ଦ୍ରକୁ ଜଣାଇ ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଚାଉଳ ଦେଇଥାନ୍ତେ।

୨୦୧୩ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ରାଜ୍ୟ ସରକାର ୨୦୧୫ ନଭେମ୍ବରରୁ କାର୍ଯ୍ୟକାରୀ କରୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ବିଜେଡିର ଇସ୍ତାହାର ଅନୁସାରେ ରାଜ୍ୟ  ନିଜସ୍ୱ ଆଇନ ଆଣିବ ନା କେନ୍ଦ୍ରୀୟ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ କେବଳ ଖାଦ୍ୟ ସୁରକ୍ଷା ଯୋଗାଇଦେବ ?

You might also like