ପଞ୍ଚଦଶ ଅର୍ଥ କମିଶନ ନେଇ ମୋଦିଙ୍କୁ ନବୀନଙ୍କ ଚିଠିରେ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା, କହିଲେ ରାଜ୍ୟକୁ ମିଳିବ ଅଧିକ ଅନୁଦାନ

ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବାବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିବା ଧର୍ମେନ୍ଦ୍ର କହିଛନ୍ତି।

୧୯୭୧ ପରିବର୍ତ୍ତେ ୨୦୧୧ ଜନଗଣନା ତଥ୍ୟ ଆଧାରରେ ଆଗକୁ ରାଜ୍ୟମାନଙ୍କୁ ଅନୁଦାନ ଦିଆଯିବ ବୋଲି ପଞ୍ଚଦଶ ଅର୍ଥ କମିଶନ ସୁପାରିଶ କରିଥିଲେ। ଏଥିରେ ଅର୍ଥ ଅନୁଦାନ କମିବ ବୋଲି ଆଶଙ୍କା କରି ଏହା ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ଏ ଆଶଙ୍କା ପରେ ଧର୍ମେନ୍ଦ୍ର ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, ଯେଉଁରାଜ୍ୟଗୁଡ଼ିକ ଜନ୍ମ ନିୟନ୍ତ୍ରଣରେ ଉପଲବ୍ଧି କରିଥିବେ ସେହି ରାଜ୍ୟମାନଙ୍କୁ ଅନୁଦାନ ବଢ଼ିବ। ତେଣୁ ଓଡ଼ିଶା ପାଇଁ ଅନୁଦାନ କମିବ ନାହିଁ ବରଂ ବଢ଼ିବ। ସେହିଭଳି ଅର୍ଥ କମିଶନ କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାରଙ୍କ କଥା ମଧ୍ୟ ଶୁଣନ୍ତି। ତେଣୁ କମିଶନ ରାଜ୍ୟକୁ ଆସି ଆଲୋଚନା କରିବାର ସୁଯୋଗ ମଧ୍ୟ ରହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଅର୍ଥ ଅନୁଦାନ କମିବ ବୋଲି ରାଜ୍ୟର ଆଶଙ୍କା ଅମୂଳକ ବୋଲି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିବା ମଧ୍ୟ ସେ କହିଛନ୍ତି।

You might also like
Comments
Loading...