ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ SRC କହିଲେ ଏମିତି
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ଅଛି। ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି। ଏବେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମଧ୍ୟରାତି ସୁଦ୍ଧା ସାଢ଼େ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।
ବିଶେଷ କରି ପୁରୀ, ଜଗତସିଂହପୁର, କଟକ, ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଏନ୍ଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ମହାନଦୀ ଜଳସ୍ତର ବୃଦ୍ଧି ନେଇ ଜଳ ସଂପଦ ସଚିବ ସୂଚନା ଦେଇଛନ୍ତି।
ହୀରାକୁଦ ଡ୍ୟାମ୍କୁ ୪ ଲକ୍ଷ ୫୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୨୫ଟି ଗେଟ୍ରେ ୪ ଲକ୍ଷ ୮ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ବୌଦ୍ଧ ଖଇରମାଳରେ ୭.୩୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ରାତିରେ ମୁଣ୍ଡଳି ଦେଇ ୮ରୁ ୮.୨୫ ଲକ୍ଷ ପ୍ରବାହିତ ହେବ। ଆଜି ରାତି ପରେ ଧୀରେ ଧୀରେ ଜଳ ପ୍ରବାହ କମିବ। ଯାହା ଜଳ ଆସିବ ନଦୀ ଶଯ୍ୟାରେ ପ୍ରବାହିତ ହେବ। ଅଘଟଣ ହେବନି ବୋଲି ସଚିବ କହିଛନ୍ତି। ହୀରାକୁଦରେ ୨୫ରୁ ଆଉ ଅଧିକ ଗେଟ୍ ଖୋଲା ଯାଇ ନପାରେ ବୋଲି ସେ କହିଛନ୍ତି।