ଚନ୍ଦୁର ଅନ୍ତିମ ସଂସ୍କାର : ପୋଷା କୁକୁରର ମୃତ୍ୟୁରେ କ୍ରିୟାକର୍ମ କରିବା ନେଇ ଚର୍ଚ୍ଚା

ନବରଙ୍ଗପୁର: କୁହାଯାଏ କୁକୁର ହିଁ ମଣିଷର ପ୍ରକୃତ ବନ୍ଧୁ। ତେବେ ପୋଷା କୁକୁରର ମୃତ୍ୟୁ ପରେ ବି ବନ୍ଧୁତାକୁ ସମ୍ମାନ ଦେବାକୁ ଯାଇ ମଣିଷ କଣ କରିପାରେ ତାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁରରେ। ସ୍ଥାନୀୟ ରାମ ରମଣ ନିଜ ପୋଷା କୁକୁର ଚନ୍ଦୁର ମୃତ୍ୟୁ ପରେ କ୍ରିୟାକର୍ମକରିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଜଳୁଛି ଚିତା। ଦୁଃଖରେ ମ୍ରିୟମାଣ ଆତ୍ମୀୟସ୍ୱଜନ। ମୁଖାଗ୍ନି ଦେବା ବେଳେ କୋହ ସମ୍ଭାଳି ପାରୁ ନାହାନ୍ତି ରାମ ରମଣ ପଣ୍ଡା। ଚନ୍ଦୁର ମୃତ୍ୟୁ ପରେ ପଣ୍ଡା ପରିବାରରେ ଏଭଳି ଚିତ୍ର। ମୃତ୍ୟୁ ପରେ ଚନ୍ଦୁର ସଂସ୍କାର ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଦାହ ପାଇଁ ଆବଶ୍ୟକୀୟ କାଠ ଯୋଗାଡ଼ କରିବା ପରେ ଚନ୍ଦୁକୁ ଶେଷ ଶଯ୍ୟାରେ ଶୁଆଇ ଦେଇଥିଲେ ତାର ନିଜ ଲୋକ। ନବରଙ୍ଗପୁରର ରାମ ରମଣ ପଣ୍ଡାଙ୍କ ପରିବାରର ଏକ ଖାସ୍‌ ସଦସ୍ୟ ଥିଲା ଡ଼ୋବରମ୍ୟାନ ଚନ୍ଦୁ। ତେବେ ହଠାତ୍ ଅସୁସ୍ଥ ହୋଇ ଇହ ଜଗତ ତ୍ୟାଗ କରିଛି ଚନ୍ଦୁ।

୧୭ ଦିନର କୁନି ଚନ୍ଦୁକୁ ଘରକୁ ଆଣିଥିଲେ ରମାରମଣ। ଆଉ ସେବେଠୁ ନିଜ ପିଲା ଭଳି ଚନ୍ଦୁକୁ ପାଳିଥିଲେ। ସ୍ତ୍ରୀ ଆଉ ଦୁଇ ଝିଅକୁ ନେଇ ରାମ ରମଣଙ୍କ ପରିବାରରେ ଚନ୍ଦୁ ବି ପାଲଟି ଯାଇଥିଲା ଅନ୍ୟ ଏକ ସଦସ୍ୟ। ଏପରି କି ରାମ ରମଣଙ୍କ ଦୁଇ ଝିଅ ମଧ୍ୟ ରାକ୍ଷୀ ପୁର୍ଣ୍ଣିମାରେ ଚନ୍ଦୁକୁ ରାକ୍ଷୀ ବନ୍ଧୁଥିଲେ। ଚନ୍ଦୁ କଥା କହିପାରୁ ନଥିଲା ସତ, ହେଲେ ପଣ୍ଡା ପରିବାର ଲୋକେ ଅତି ସହଜରେ ବୁଝି ପାରୁଥିଲେ ତାର ଭାବନାକୁ। ମୁରବୀଙ୍କ ଅନୁପସ୍ଥିତିରେ ପିଲାଙ୍କ ରକ୍ଷକ ବି ସାଜୁଥିଲା ଚନ୍ଦୁ।

ଦେଖନ୍ତୁ ଏହି ଭିଡ଼ିଓ-

You might also like