ଗ୍ରାମାଞ୍ଚଳ, ସପିଂ କଂପ୍ଲେକ୍ସ ଓ ମଲ୍ରେ ମଦ ଦୋକାନ ଖୋଲିବାକୁ ଏଣିକି ମିଳିବନି ଅନୁମତି
ଭୁବନେଶ୍ୱର : ନୂଆ ମଦ ଦୋକାନ ଖୋଲିବା ନିୟମକୁ କଡ଼ାକଡି କଲେ ରାଜ୍ୟ ସରକାର। ଏଣିକି ରାଜ୍ୟରେ ସପିଂ କମ୍ପ୍ଲେକ୍ସ, ମଲ୍ ଓ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ତେବେ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ସରକାର ଦୋକାନ ଖୋଲିବାକୁ ଲାଇସେନ୍ସ ଦେବେ। ସପିଂ ମଲ୍ରେ ଯଦି ତାରକା ହୋଟେଲ ଥିବ ତେବେ ସଂପୃକ୍ତ ହୋଟେଲକୁ ଲାଇଲେନ୍ସ ମିଳିପାରିବ।
ସେହିପରି ଗ୍ରାମାଞ୍ଚଳର କୌଣସି ହୋଟେଲରେ ଯଦି ଅତି କମ୍ରେ ୬ ରୁମ୍ ବିଶିଷ୍ଟ ଲଜିଂ ବ୍ୟବସ୍ଥା ଥିବ ସେ ହୋଟେଲ ମଧ୍ୟ ଲାଇସେନ୍ସ ପାଇବ। ରାଜ୍ୟ ସରକାର ୨୦୧୮-୧୯ ବର୍ଷ ପାଇଁ ଆଣିଥିବା ନୂଆ ଅବକାରୀ ନୀତିରେ ଏଭଳି ବ୍ୟବସ୍ଥା କରାଯାଇଛି। ସେହିପରି ସିଡ୍ୟୁଲ ଏରିଆରେ ଯଦି ଗ୍ରାମସଭାର ଆପତ୍ତି ଥିବ, ସେଠାରେ ଥିବା ମଦ ଦୋକାନର ଲାଇସେନ୍ସ ନବୀକରଣ ହେବ ନାହିଁ।
ଅତ୍ୟଧିକ ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏଣିକି ପ୍ରତ୍ୟେକ ଦୋକାନରେ ଏହି ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ଲେଖିବା ବାଧ୍ୟତାମୂଳକ ହେବ। ନୂଆ ନୀତି ଅନୁସାରେ ଦୋକାନୀ MRP ଠାରୁ ଅଧିକ ଦରରେ ମଦ ବିକିପାରିବେ ନାହିଁ। ରାଜ୍ୟକୁ ଯେମିତି ଅଧିକ ନୂଆ ମଦ ବ୍ରାଣ୍ଡ ଆସିବେ ସେଥିଲାଗି ଲେବୁଲ ରେଜିଷ୍ଟ୍ରେସନ ଫି’କୁ ସରଳ କରାଯାଇଛି। ଦେଶୀ ମଦରେ ଆଲକହଲର ପରିମାଣ କମିବ।
ଓଡ଼ିଶାରେ ତିଆରି ହେଉଥିବା ମଦ ପାଇଁ ବଟଲିଂ ଫି’କୁ ଛାଡ କରାଯାଇଛି। ସେପଟେ ନୂଆ ଭାଙ୍ଗ ଦୋକାନ ଖୋଲିବା ପାଇଁ ଆଉ ଲାଇସେନ୍ସ ନଦେବା ସରକାର ସ୍ଥିର କରିଛନ୍ତି।