ପିସିସି ଜୁମ୍ବୋ ନୁହେଁ, ଛୋଟ ଟିମ୍‌ ହେବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସ୍ଥିତି ଦୃଢ଼ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ମିଶନ ୧୯ ପାଇଁ ଦଳ ଜିଲ୍ଲା ସ୍ତରରେ ନିଜର ଘର ସଜାଡ଼ିବାରେ ଲାଗିପଡ଼ିଛି।  ଏପରି କ୍ଷେତ୍ରରେ ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ଯେ, ଏଥର ପିସିସି ଜୁମ୍ବୋ ଟିମ୍ ନୁହେଁ, ଛୋଟ ଟିମ୍ ହେବ। ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍ ଗଠନ ହେବ, ଏବଂ ଆସନ୍ତା ୧୫ ସୁଦ୍ଧା ଜିଲ୍ଲା କମିଟି ମଧ୍ୟ ଗଠନ କରାଯିବ ବୋଲି ନିରଞ୍ଜନ କହିଛନ୍ତି ।

ମିଶନ ୧୯ ପାଇଁ  କଂଗ୍ରେସର ମାରାଥନ କୋର୍ସ କରେକ୍‌ସନ୍‌ ଆରମ୍ଭ  ହୋଇଯାଇଛି। ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ନିଜ ଅଧୀନରେ ଥିବା ଜିଲ୍ଲା ଗସ୍ତ କରି କର୍ମୀ ଓ ନେତାଙ୍କୁ ଏକାଠି କରି ଘର ସଜାଡ଼ିବରେ ଲାଗିପଡ଼ିଛନ୍ତି।

ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଭଦ୍ରକରେ ଓ ନବକିଶୋର ଦାସ ଢେଙ୍କାନାଳରେ କର୍ମୀଙ୍କୁ ନେଇ ଆୟୋଜନ କରିଛନ୍ତି କାର୍ଯ୍ୟକାରିଣୀ ବୈଠକ।

ସୁବର୍ଣ୍ଣପୁରରେ ମଧ୍ୟ  ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ ଦାସ ଜିଲ୍ଲାର ଶତାଧିକ ନେତା ଓ କର୍ମୀଙ୍କୁ ନେଇ କାର୍ଯ୍ୟକ୍ରମ କରିଛନ୍ତି। ଦଳ ଭିତରେ ଏଣିକି ଗୋଷ୍ଠୀ କନ୍ଦଳକୁ ବରଦାସ୍ତ କରାଯିବନି ବୋଲି ଆଜି ରୋକଠୋକ ଶୁଣାଇ ଦେଇଛନ୍ତି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ। ତେଣୁ ଜିଲ୍ଲା ସ୍ତରରେ ଦଳକୁ ଏକାଠୀ କରିବାରେ ଲାଗିପଡ଼ିଛି କଂଗ୍ରେସ।

You might also like