ପ୍ରସାଦଙ୍କ ମନ୍ତବ୍ୟକୁ ନେଇ ବିରୋଧୀ କ୍ୟାମ୍ପରେ ହଲ୍ଚଲ୍
ଭୁବନେଶ୍ୱର : ବେଶ୍ କିଛି ଦିନର ନିରବତା ପରେ ପ୍ରସାଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। କଂଗ୍ରେସର ନବକଳେବରର ବିନ୍ଧାଣୀ ନିଜେ ସାଜିବେ କି ପ୍ରସାଦ। ବୁଥ୍ ସ୍ତରରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ, ଜିଲାସ୍ତରରୁ ଆରମ୍ଭ କରି ପ୍ରଦେଶ କମିଟି ପର୍ଯ୍ୟନ୍ତ ସବୁଥିରେ ହେବ ନବକଳେବର। ପ୍ରଦେଶ କଂଗ୍ରେସ କମିଟିର ଜୁମ୍ବୋ ଟିମ୍ ବଦଳରେ ଛୋଟ୍ ଟିମ୍ ହିଁ ପ୍ରଦେଶ କଂଗ୍ରେସ କମିଟିର ମଙ୍ଗ ଧରିବ। ଆଉ ଖୁବ୍ଶୀଘ୍ର ପଦାକୁ ଆସିବ କଂଗ୍ରେସ ନବକଳେବରର ରୂପ।
ଜିତେନ୍ଦ୍ର ସିଂ ପ୍ରଭାରୀ ଦାୟିତ୍ୱ ନେବା ପରେ ଓଡ଼ିଶା ଗସ୍ତ କରି ନାହାଁନ୍ତି। ତେଣୁ ସେ ଓଡ଼ିଶା ଆସିବା ପୂର୍ବରୁ ବ୍ଲକ୍ ଓ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଥିବା ବରିଷ୍ଠ ନେତା କହୁଛନ୍ତି।
କିନ୍ତୁ, ଯେଉଁ ପିସିସି ସଭାପତିଙ୍କୁ ପରିବର୍ତ୍ତନ ପାଇଁ ପ୍ରଭାରୀଙ୍କଠାରୁ ଆରମ୍ଭ କରି ଏଆଇସିସି ପର୍ଯ୍ୟନ୍ତ ନେତାଏ ଲବି କରୁଥିଲେ, ସେହି ସଭାପତିଙ୍କ ପରିବର୍ତ୍ତନ ବିନା ହୋଇପାରେ ନବକଳେବର। ଏ କଥାକୁ ସହଜରେ ହଜମ୍ କରି ପାରୁ ନାହାଁନ୍ତି ପ୍ରସାଦଙ୍କ ବିରୋଧୀ କ୍ୟାମ୍ପ।
କେବଳ ପ୍ରଦେଶ କଂଗ୍ରେସ କମିଟି ନୁହେଁ, ବିଧାୟକ ଦଳରେ ମଧ୍ୟ କେତେକ ପରିବର୍ତ୍ତନର ଆଭାସ ମିଳିଛି। ଖାସ୍ ସେଥିପାଇଁ କେତେଜଣ ବିଧାୟକ ଡାକରା ପାଇ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ପ୍ରଦେଶ କଂଗ୍ରେସ କମିଟିର ଏହି ପରିବର୍ତ୍ତନ ତଥା ନବକଳେବର କେତେଦୂର ଆଭ୍ୟନ୍ତରୀଣ କନ୍ଦଳକୁ ତୁଟାଇ ଦଳକୁ ମଜବୁତ୍ କରୁଛି, ଏବେ ତା ଉପରେ ସମସ୍ତଙ୍କ ନଜର।