ମନରେଗା ମଜୁରୀ ଟଙ୍କାକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଳକ୍ ନାଗଡ଼ିହି ଗାଁରେ ମନରେଗା ଯୋଜନା ଅଧିନରେ ଚାଲିଛି ଡାବଝରଣ କଟାର ଉନ୍ନତୀକରଣ କାମ। କାର୍ଯ୍ୟ ଆରମ୍ଭ ହେବାର ଏହା ଭିତରେ ୩ ମାସ ବିତିଗଲାଣି, ହେଲେ ଏବେ ବି ଶ୍ରମିକଙ୍କ ହାତ ଖାଲି। ମାଟି କାମ କରିଥିବା ୧୭-୧୮ ଜଣ ଶ୍ରମିକଙ୍କୁ ଏଯାଏଁ ସେମାନଙ୍କ ମଜୁରୀ ମିଳିନାହିଁ। ଟଙ୍କା ଉଠାଇବା ଲାଗି ବାରମ୍ବାର ୧୫ କିଲୋମିଟର ଦୂର କଣ୍ଟାପାଲି ବ୍ୟାଙ୍କକୁ ଦୌଡୁଛନ୍ତି, ହେଲେ ଆକାଉଣ୍ଟରେ ଟଙ୍କା ଜମା ହେଉନାହିଁ।

ସମାନ ଅବସ୍ଥା କୋରାପୁଟ ଲମତାପୁଟ୍ ବ୍ଳକ୍ କୁମାର ଗନ୍ଧଣା ପଂଚାୟତ ବଙ୍କେଇପୁଟ ଗାଁର ଏହି ହିତାଧିକାରୀଙ୍କର। ଏଠାକାର ପ୍ରାୟ ୪୦ ଜଣ ହିତାଧିକାରୀ ଗତବର୍ଷ ମନରେଗା ଯୋଜନାରେ ମାଟି କାମ କରିଥିଲେ। କିନ୍ତୁ କାମ ସରିବାର ୮ ମାସ ବିତିଯାଇଥିଲେ ବି ଏଯାଏଁ ମଜୁରୀ ଟଙ୍କା ମିଳିନାହିଁ।

ଏପଟେ ମନରେଗା ମଜୁରୀକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ତୀବ୍ର ହୋଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମନରେଗାରେ ରାଜ୍ୟର ୨ ହଜାର ୮୮୫ କୋଟି ୪୦ ଲକ୍ଷ ବାକି ରଖିଛନ୍ତି। କେବଳ ୨୦୧୭-୧୮ ଆର୍ଥିକ ବର୍ଷରେ ୩୩୫ କୋଟି ୮୯ ଲକ୍ଷ ଟଙ୍କା କେନ୍ଦ୍ର ଦେଇନି ବୋଲି ମନ୍ତ୍ରୀ କହିଛନ୍ତି।

ଜବାବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପାଲଟା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଦେଇଥିବା ଟଙ୍କାକୁ ଖର୍ଚ୍ଚ କରିପାରୁ ନାହାନ୍ତି। କେନ୍ଦ୍ର କେତେ ଟଙ୍କା ଦେଇଥିଲା ଓ ରାଜ୍ୟ କେତେ ଖର୍ଚ୍ଚ କରିଛି ତାର ହିସାବ ମାଗିଛନ୍ତି ଜୁଏଲ୍। ମନରେଗାକୁ ଏହି ଟଣାଓଟରା ଭିତରେ ଏହାକୁ ଆଧାର କରି ବଞ୍ଚୁଥିବା ଲୋକେ କିଭଳି ତାଙ୍କ ହକ୍‌ରୁ ବଞ୍ଚିତ ନହେବେ, ଏବେ ତାକୁ ଅପେକ୍ଷା।

You might also like