ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଭାରତକୁ ଆସିପାରୁନି ମୃତଦେହ
ଗଂଜାମ: ଦୁବାଇରୁ ଭାରତକୁ ଆସିପାରୁନି ମୃତଦେହ। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଅଞ୍ଚଳର ରଂଜନ ଜେନା ନାମକ ବ୍ୟକ୍ତି ଦୁବାଇ କାମ କରିବାକୁ ଯାଇଥିଲେ। ଗତ୨୨ ତାରିଖରେ ଏକ ବିଲ୍ଡିଂରେ କାମ କରୁଥିବାବେଳେ ସେଫଟି ବେଲ୍ଟ ଛିଣ୍ଡି ଯିବାରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଥିଲା।
ରୋଜଗାର କରିବାକୁ ଯାଇଥିବା ପୁଅ ରଂଜନର ମୃତ୍ୟୁ ଖବରରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ। ଦୁର୍ଘଟଣାର ଦିନକ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ରଂଜନଙ୍କୁ ଦୁବାଇ ପଠାଇଥିବା ଏଜେଣ୍ଟ ବନମାଳି ପାହାନ। ତେବେ ପୁଅର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ବିଳମ୍ବ ହେଉଥିବାରୁ ଚିନ୍ତିତ ହୋଇ ପଡିଛନ୍ତି ପରିବାର ଲୋକେ। ବିଦେଶ ପଠାଇଥିବା ଏଜେଣ୍ଟଙ୍କ ବିରୋଧରେ ଖଲିକୋଟ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ଦୁବାଇରୁ ରଂଜନଙ୍କ ମୃତଦେହ ଆଣିବାକୁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ।