କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ

ବିପନ୍ନଙ୍କ ସହାୟତା ପାଇଁ ଗଲା ସ୍ୱତନ୍ତ୍ର ତାଲିମ୍‌ପ୍ରାପ୍ତ ଅଗ୍ନିଶମ ଟିମ୍

ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି ଉଦ୍ଧାର ଅପେକ୍ଷାରେ। ଏହି ଗାଁର ୩୦ରୁ ଅଧିକ ଶ୍ରମିକ ଏବେ ଏଭଳି ବିପନ୍ନ ଅବସ୍ଥାରେ ଜୀବନ ଜୀଉଁଛନ୍ତି କେରଳରେ। କେବଳ ଏହି ଗୋଟିଏ ଗାଁ ନୁହେଁ, ରାଜ୍ୟର ବିଭିନ୍ନ ଇଲାକାର ଶହ ଶହ ଓଡ଼ିଆ ଫସିଯାଇଛନ୍ତି କେରଳର ମୁନ୍ନାର, ଅଙ୍ଗମଲି ଏବଂ ଓଡ଼ାପଲ୍ଲୀ ଅାଦି ଇଲାକାରେ। ମୁନ୍ନାରରେ ସର୍ବାଧିକ ୧୪୦ ଓଡ଼ିଆ ଜଳବନ୍ଦୀ ଥିବା ସୂଚନା ମିଳିଛି।

ଏଭଳି ସ୍ଥିତିରେ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ଫସିରହିଥିବା ଓଡ଼ିଆଙ୍କ ସମେତ କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର ପାଇଁ ଏନ୍‌ଡିଏମ୍ଏର ଅନୁରୋଧ ପରେ ଅାଜି ଗ୍ରାଉଣ୍ଡ ଜିରୋକୁ ଯାଇଛନ୍ତି ୨୫୦ ଜଣିଅା ଉଦ୍ଧାରକାରୀ ଟିମ୍। ଯେଉଁଥିରେ ୨୨୫ ଜଣ ଅାଗ୍ନିକ ଥିବାବେଳେ ୧୫ ସୁପରଭାଇଜର ଅଛନ୍ତି।  ସାଙ୍ଗରେ ରହିଛି ପାୱାର ବୋଟ, ଅଣ୍ଡର ୱାଟର ବ୍ରିଦିଙ୍ଗ ସିଷ୍ଟମ, ଟାୱାର ଲାଇଟ,  ଲାଇଫ ଜ୍ୟାକେଟ, ଲାଇଫ ବୟ, ଟେଣ୍ଟ କଭର୍ ଭଳି ଅତ୍ୟାଧୁନିକ ଉଦ୍ଧାର ସାମଗ୍ରୀ। ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ଏହି ଟିମ୍‌ର ଫ୍ଲାଗ୍ ଅଫ୍ କରିଥିଲେ। ଗତ ୧୬ ତାରିଖରୁ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍‌ ବାଟାଲିୟନ୍‌ରୁ ୧୩୨ ଜଣିଅା ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱାରାନୀତ କରିଛନ୍ତି।

କେରଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର ଜାରି କରିଛି ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ। ଟୋଲ୍ ଫ୍ରି ହେଲ୍ପ ଲାଇନ୍ ନମ୍ବର ହେଉଛି ୧୦୭୦ ଏବଂ ଦେୟଯୁକ୍ତ ନମ୍ବର ହେଉଛି ୦୬୭୪- ୨୫୩୪୧୭୭। ଫସିଥିବା ଲୋକଙ୍କ ସଂପର୍କୀୟମାନେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ।

You might also like