୩ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବା ପରେ ଆମ୍ବୁଲାନ୍ସ ଛାଡିଲେ ଲୋକେ
ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ ବାଘନଟା ଗାଁର ୨ ଜଣ ଏବଂ ଯାଜପୁର ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ପରେ ମୃତଦେହକୁ ଗ୍ରହଣ କରିଛନ୍ତି ପରିବାର ଲୋକେ। ଏହାସହ ଅଟକ ଥିବା ୩ ଆମ୍ବୁଲାନ୍ସକୁ ଲୋକେ ଛାଡ଼ି ଦେଇଛନ୍ତି।
ଆଜି ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ହାଇଦ୍ରାବାଦରେ ଆଲୋଚନା ହୋଇଥିଲା। ଏହାପରେ କ୍ଷତିପୂରଣ ବାବଦକୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୯ଲକ୍ଷ ଟଙ୍କା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।
ହାଇଦ୍ରାବାଦ ସ୍ଥିତ ସ୍କ୍ୱାର୍ଡ ଲିଲି ପାଇପ୍ ନାମକ ଏକ କମ୍ପାନୀରେ କାମ କରିବାକୁ ଯାଇ ମାଟି ଅତଡ଼ା ଧସି ଯାଜପୁରର ମାନସ ସାହୁ ଏବଂ ବାଘନଟା ଗାଁର ଦୁଇ ଭାଇ ବିକାଶ ଏବଂ ପ୍ରକାଶ ମହାଳିକ ମୃତ୍ୟୁବରଣ କରିଥିଲେ। ଏହାପରେ ୩ ମୃତଦେହକୁ ୩ଟି ଆମ୍ବୁଲାନ୍ସରେ କମ୍ପାନୀ କର୍ତ୍ତୃପକ୍ଷ ଭଦ୍ରକ ବାଘନଟାକୁ ପଠାଇଥିଲେ। ଗତକାଲି ଭୋରରେ ଶବ ଆସି ପହଞ୍ଚିଥିବା ବେଳେ ସାଙ୍ଗରେ କମ୍ପାନୀର କୌଣସି କର୍ମଚାରୀ ଆସିନଥିଲେ। ଏପରିକି ମୃତକଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ମଧ୍ୟ ଦିଆଯାଇ ନଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଓ ପରିବାର ବର୍ଗ ଗତକାଲିଠାରୁ ମୃତଦେହ ଆଣିଥିବା ଆମ୍ବୁଲାନ୍ସକୁ ଅଟକ ରଖିଥିଲେ।