ବିନା ସିମ୍‌ରେ ମୋବାଇଲ୍‌ କଲିଂ

ନୂଆଦିଲ୍ଲୀ : ବେଳେବେଳେ ଏମିତି ହୁଏ କୌଣସି ସ୍ଥାନରେ ମୋବାଇଲ୍‌ର ସିଗ୍‌ନାଲ୍‌ ବା ନେଟୱର୍କ କାମ କରେନି, ଫଳରେ ଆପଣ କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ। ବହୁତ ଅସୁବିଧାରେ ପଡିଯାଆନ୍ତି। ଜରୁରୀ କାର୍ଯ୍ୟ ଥିଲେ ଚିନ୍ତା ବଢିଯାଏ।

ଏବେ ଏହାକୁ ନେଇ ଚିନ୍ତା କରନ୍ତୁ ନାହିଁ। ଏହାର ଏକ ସମାଧାନ ମିଳିଯାଇଛି। ଆପଣ ଘର ହେଉ ବା ଅଫିସ୍‌ ଯେଉଁଠି ଥିଲେ ବି ୱାଇ-ଫାଇ, ବ୍ରଡବ୍ୟାଣ୍ଡ ସହ କନେକ୍ଟ ହୋଇ ମୋବାଇଲ୍‌ ହେଉ ବା ଲ୍ୟାଣ୍ଡଲାଇନ୍‌ ଫୋନ୍‌ କଲିଂ କରିପାରିବେ। ସରକାର ଏବେ ଇଣ୍ଟରନେଟ୍‌ ଟେଲିଫୋନ୍‌ ସୁବିଧା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଯେଉଁ ଟେଲିଫୋନ ଅପରେଟର ଓ ଅନ୍ୟ କମ୍ପାନୀମାନେ ଟେଲିଫୋନ୍‌ର ଲାଇସେନ୍ସ ରଖିଥିବେ,ସେମାନେ ହିଁ ଆପଣଙ୍କୁ ନୂଆ ନମ୍ବର ଦେଇପାରିବେ। ଏହି ପ୍ରକ୍ରିୟା ବିଷୟରେ ଜାଣାଇବା ପାଇଁ ଜଣେ ଅଧିକାରୀ କହିଛନ୍ତି, ଇଣ୍ଟରନେଟ୍ ଟେଲିଫୋନ ପାଇଁ  ଉପଭୋକ୍ତାଙ୍କୁ ଏକ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ହେବ। ଏହା ପରେ ତାଙ୍କୁ ୧୦ଅଙ୍କ ବିଶିଷ୍ଟ ଏକ ମୋବାଇଲ୍‌ ନମ୍ବର ଦିଆଯିବ। ଯେଉଁଥିରେ ଆପଣ ବିନା ସିମ୍‌ରେ କଲ୍‌ କରିପାରିବେ।

ଟେଲିଫୋନି ଆପ ଜରିଆରେ ସେହି ନମ୍ବରକୁ କାର୍ଯ୍ୟକ୍ଷମ କରାଯିବ। କଲଡ୍ରପ ସମସ୍ୟାକୁ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ଗତ ଅକ୍ଟୋବର ମାସରେ ଟେଲିକମକୁ ଅଧିକ ଉନ୍ନତ କରିବା ପାଇଁ ଟ୍ରାଇ ତରଫରୁ ଏକ ପ୍ରସ୍ତାବ ସରକାରଙ୍କ ପାଖକୁ ପଠାଯାଇଥିଲା। ତାହାକୁ ସରକାର ଏବେ ମଞ୍ଜୁରି ପ୍ରଦାନ କରିଛନ୍ତି।