ବିଶ୍ୱ ସମୁଦାୟକୁ ଆସ୍ୱସ୍ଥି: ଆଣବିକ ପରୀକ୍ଷା ବନ୍ଦ କରିବ ଉତ୍ତର କୋରିଆ

ନୂଆଦିଲ୍ଲୀ: ଆଉ କୌଣସି ଆଣବିକ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ନ କରିବାକୁ ଘୋଷଣା କରିଛି ଉତ୍ତର କୋରିଆ। ଏଥିସହିତ ଆଣବିକ ପରୀକ୍ଷଣର ଏକ ସ୍ଥାନକୁ ମଧ୍ୟ ବନ୍ଦ କରାଯିବ। ଯେଉଁ ଅସ୍ତ୍ର ଦରକାର ଥିଲା, ତାହା ନିର୍ମିତ ହୋଇଛି। ତେଣୁ ଆଉ ଆଣବିକ ପରୀକ୍ଷା କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷା କରିବା ଦରକାର ନାହିଁ। ଆଣବିକ ପରୀକ୍ଷା ସ୍ଥଳକୁ ମଧ୍ୟ ଭାଙ୍ଗିବାକୁ କିମ୍ ଜଙ୍ଗ ଉନ୍ ନିଷ୍ପତ୍ତି ନେଇଥିବା ସରକାରୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି।

ଆସନ୍ତା ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଓ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ସାକ୍ଷାତ୍କାର ହେବାକୁ ଯାଉଛି। ତା’ ପୂର୍ବରୁ ଉତ୍ତର କୋରିଆର ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରିବ। ଆମେରିକାର ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ଉତ୍ତର କୋରିଆର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଗତ ବର୍ଷ ଉତ୍ତର କୋରିଆ ଆମେରିକାକୁ ଟାର୍ଗେଟ୍‌ କଲାଭଳି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ପରେ ଉଭୟ ପକ୍ଷ ପରସ୍ପରକୁ ଯୁଦ୍ଧର ଧମକ ଦେଇଥିଲେ। ଏପରିକି ଆଣବିକ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

You might also like