• translate
Odishatv Bureau

ପାରଳାଖେମୁଣ୍ଡି: ସରକାରଙ୍କ ହିସାବରେ ଦେଶର ସବୁ ଗାଁରେ ପହଂଚି ସାରିଛି ବିଜୁଳି। ହେଲେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗାଁର ବିପିଏଲ ପରିବାର ପାଖରେ ପହଂଚି ପାରିନି ବିଜୁଳି। ଫଳରେ ଏଠିକାର ଲୋକଙ୍କର ଡିବିରି ଆଲୁଅରେ ହିଁ ଜୀବନ ବିତୁଛି।

loba village noticeଏହି ଗାଁ'କୁ ଦେଖିଲେ ଲାଗୁଛି ଯେମିତି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଗାଁରେ ରହୁଥିବା ୫ଶହ ପରିବାର ମଧ୍ୟରୁ ୨ଶହ ବିପିଏଲ ବର୍ଗର। ତେବେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ସବୁ ପରିବାରକୁ ସରକାର ମାଗଣାରେ ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଥିଲେ। ହେଲେ  ଲୋବା ଗାଁର ଏହି ବିପିଏଲ ପରିବାରଙ୍କ ଲାଗି ବିଜୁଳି ଏବେ ବି ସାତସପନ। ସଂଜ ନଇଁଲେ ଆଲୁଅ ଟିକିଏ ପାଇଁ ଏଠି ଡିବିରି ଆଲୁଅ ହିଁ ଏକମାତ୍ର ସାହାରା। ସେପଟେ ଡିବିରି ଜଳିବା ପାଇଁ ଆବଶ୍ୟକ କିରୋସିନ ମଧ୍ୟ ଠିକ ସମୟରେ ମିଳୁନଥିବା ଅଭିଯୋଗ ହେଉଛି।

ଗାଁକୁ ବିଜୁଳି ସଂଯୋଗ ନେଇ ଗାଁ ଲୋକ ସାଉଥକୋ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ ଏପରିକି ଜିଲ୍ଲାପାଳଙ୍କ ନିକଟରେ ବି ଗୁହାରୀ କରିଛନ୍ତି। ତେବେ ଫଳ କିଛି ମିଳିପାରିନି। ସେପଟେ ପାରଳାଖେମୁଣ୍ଡି ସାଉଥକୋ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଗାଁକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି, କେବଳ ବିପିଏଲ ପରିବାରକୁ ସଂଯୋଗ ବାକି ଅଛି, ଖୁବଶୀଘ୍ର ଏହି ପରିବାରକୁ ବିଦ୍ୟୁତ୍‌ ଯୋଗାଣ କରାଯିବ ବୋଲି ସେ କହିଛନ୍ତି।

(ଗଜପତିରୁ ଆଦର୍ଶ ଦାଶଙ୍କ ରିପୋର୍ଟ)

Other Stories