ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌ ଉଡ଼ିବନି ଏୟାର ଇଣ୍ଡିଅା ବିମାନ

ଭୁବନେଶ୍ୱର: ଆଉ ଭୁବନେଶ୍ୱରରୁ ବ୍ୟାଂକକ୍‌କୁ ଉଡ଼ିବନି ଏୟାର ଇଣ୍ଡିଅାର ବିମାନ। ଏୟାର ଇଣ୍ଡିଅା ଏହି ବିମାନକୁ ଅାସନ୍ତା ଅକ୍ଟୋବର ୩ ତାରିଖ ଯାଏ ବାତିଲ କରିଛି। ଏହି ବିମାନ ବାତିଲ ହେବା ଦ୍ୱାରା କେବଳ ଯାତ୍ରୀମାନେ ଯେ ହଇରାଣ ହେବେ ତା’ ନୁହେଁ, ବରଂ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବ ବୋଲି ଅାଶଙ୍କା ପ୍ରକାଶ ପାଇଛି। ଏୟାର ଇଣ୍ଡିଅା ପାଖରେ ଅାବଶ୍ୟକ ସଂଖ୍ୟକ ବିମାନ ନ ଥିବା, ହଜ୍ ଯାତ୍ରା ପାଇଁ ବିମାନ ଡାଇଭର୍ଟ ହେବା ଦ୍ୱାରା କିମ୍ବା ଏହି ରୁଟ୍‌ରେ ସେଭଳି ବ୍ୟବସାୟ ହେଉ ନ ଥିବାରୁ ଉଡ଼ାଣ ବାତିଲ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର କେଇମାସର ଉଡ଼ାଣ ପରେ ଏୟାର ଇଣ୍ଡିଅାର ବିମାନ ବାତିଲ ହେବା ଦ୍ୱାରା ଯାତ୍ରୀମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ଭୁବନେଶ୍ୱର ଏୟାରପୋର୍ଟକୁ ଅନ୍ତର୍ଜାତୀୟ ସ୍ତରର ମାନ୍ୟତା ଦେବା ପାଇଁ ଅାରମ୍ଭ ହୋଇଥିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ। ପ୍ରାରମ୍ଭିକ ପର୍ଯ୍ୟାୟରେ ହବ୍ ଏନ୍ ସ୍ପୋକ୍ ମଡେଲରେ ଏୟାର ଇଣ୍ଡିଅା ଅାରମ୍ଭ କରିଥିଲା ଏହି ସେବା। ପରେ ଏୟାର ଏସିଅା ଭୁବନେଶ୍ୱରରୁ ମାଲେସିଅା ରାଜଧାନୀ କୁଅାଲାଲମ୍ପୁରକୁ ବିମାନ ସେବା ଅାରମ୍ଭ କରିଥିଲା। ଏହାର କିଛିଦିନ ପରେ ଭୁବନେଶ୍ୱରରୁ ବ୍ୟାଂକକକୁ ଉଡ଼ାଣ ଅାରମ୍ଭ କରିଥିଲା ଏୟାର ଇଣ୍ଡିଅା। ଯାତ୍ରୀଙ୍କ ସହ କାର୍ଗୋ ପରିବହନ ବେଶ୍ ଉତ୍ସାହଜନକ ହେଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତେବେ ହଠାତ୍ ଉଡ଼ାଣ ବାତିଲ ହେବା ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଅାଲୋଚନା କରାଯିବ ବୋଲି କହିଛନ୍ତି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ।

You might also like