ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର : ରହିଲା କଂଗ୍ରେସ ବିଧାୟକ ଦଳର ଦାବି। ନିରଞ୍ଜନ ଇନ୍, ପ୍ରସାଦ୍ ଆଉଟ୍। ଦୀର୍ଘଦିନ ହେବ ପିସିସି ମୁଖିଆ ପରିବର୍ତ୍ତନ ନେଇ ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ। ନିରଞ୍ଜନଙ୍କ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି ଦଳ ସଭାପତି ରାହୁଲ ଗାନ୍ଧୀ। ଏଥିସହିତ ପିସିସିର ନବକଳେବର କରାଯାଇଛି।

ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନଙ୍କୁ ସହାୟତା କରିବେ। ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି। ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଦାୟିତ୍ୱ ମିଳିଛି। ସେହିପରି ଶ୍ରୀକାନ୍ତ ଜେନାଙ୍କୁ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାହୁଲ ଗାନ୍ଧି।

ରାଜ୍ୟ ଦାୟିତ୍ୱରେ ଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍‌ର ପରିବର୍ତ୍ତନ ପରେ ପିସିସିରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିଲା। ଗତକାଲି କଂଗ୍ରେସ ନେତାମାନେ ଦିଲ୍ଲୀ ଯିବା ପରେ ସ୍ଥିତି ସ୍ପଷ୍ଟ ହୋଇଥିଲା। ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଘରେ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ରାଜ୍ୟରୁ ଯାଇଥିବା ଦଳୀୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ନିରଞ୍ଜନଙ୍କ ନାଁ ଘୋଷଣା ହୋଇଛି। ତେବେ ମଙ୍ଗୁଆଳ ବଦଳିବା ପରେ କଂଗ୍ରେସର କଳି କେତେ ପ୍ରଶମିତ ହେଉଛି ଏବେ ତାଉପରେ ନଜର ରହିବ।

ଖାସ୍ କରି ଏବେ କଣ ରହିବ ପ୍ରସାଦ କ୍ୟାମ୍ପର ଆଭିମୁଖ୍ୟ ତାହା ଦେଖିବା କଥା। ତେବେ ପିସିସି ନବକଳେବର ନେଇ ବିଦାୟୀ ସଭାପତି ପ୍ରସାଦ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବର୍ତ୍ତମାନ କଂଗ୍ରେସର ସ୍ଥିତି ଯାହା ଦଳକୁ ଏକଜୁଟ୍ କରି ୧୯ ନିର୍ବାଚନ ଲାଗି ପ୍ରସ୍ତୁତ କରିବା ନିରଞ୍ଜନଙ୍କ ଲାଗି କାଠିକର ପାଠ ହେବ ନିଶ୍ଚୟ। ସେପଟେ ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡି ଅନ୍ୟ ଦଳକୁ ଚାଲିଯାଇଛନ୍ତି। ତେବେ ପୁରୁଖା ନେତା ନିରଞ୍ଜନ ଦଳକୁ କିଭଳି ନେତୃତ୍ୱ ଦେଉଛନ୍ତି ଓ ଦଳର ଭାଗ୍ୟରେ କି ପରିବର୍ତ୍ତନ ଆଣିପାରୁଛନ୍ତି, କଂଗ୍ରେସ କର୍ମୀ ତାକୁ ଅପେକ୍ଷା କରିଛନ୍ତି।

ଦେଖନ୍ତୁ ଏହି ଭିଡ଼ିଓ –

You might also like