ନୀଳମାଧବ ପଣ୍ଡାଙ୍କ ‘ହଲକା’ ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର/ ମୁମ୍ୱାଇ : ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମିଳିଛି ଅପୂର୍ବ ସଫଳତା। ତାଙ୍କର ଆଗାମୀ ଫିଲ୍ମ ‘ହଲକା’୨୧ତମ ମଣ୍ଟ୍ରିଆଲ୍  ଅନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ (FIFEM)ରେ ସର୍ବଶ୍ରେଷ୍ଠ “Grand Prix de Montreal” ପୁରସ୍କାର ପାଇଛି। ଏହି ପ୍ରତିଷ୍ଠିତ ଫିଲ୍ମ ସମାରୋହରେ ଫିଲ୍ମ ‘ହଲକା’ର ଏକ ବିଶ୍ୱ ପ୍ରିମିୟର ସୋ’ କରାଯାଇଥିଲା।

ଛୋଟ ପିଲାଙ୍କ ଉପରେ ପର୍ଯ୍ୟବେସିତ  ‘ହଲକା’ ହେଉଛି ନୀଳମାଧବ ପଣ୍ଡାଙ୍କ ୨ୟ ଫିଲ୍ମ , ଯାହାକି FIFEM ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ପୁରସ୍କାର ପାଇଛି। ୨୦୧୦ରେ ଫିଲ୍ମ ‘ମେଁ କଲାମ ହୁଁ’ ଦର୍ଶକ ପୁରସ୍କାର Prix Du Public’ ପାଇଥିଲା। ଓଡ଼ିଶାଟିଭି.ଇନ୍‌କୁ ନୀଳମାଧବ ପଣ୍ଡା କହିଛନ୍ତି, ‘ଏହି ପୁରସ୍କାର ପାଇବା ଫିଲ୍ମ ପାଇଁ ବହୁତ ବଡ଼ ସଫଳତା। ବିଶ୍ୱ ପ୍ରିମିୟର ସ୍କ୍ରିନିଂରେ ଏହି ପୁରସ୍କାର ଜିତି ଥିବାରୁ ପୁରା ଟିମ୍‌କୁ ଏହା ଉତ୍ସାହିତ କରିଛି ଏବଂ ପୂର୍ବରୁ ମଧ୍ୟ ଏହି ଫିଲ୍ମ ୬ଟି ଅନ୍ତର୍ଜାତୀୟ ଫିଲ୍ମ ସମାରୋହରେ ପ୍ରଦର୍ଶିତ ହୋଇସାରିଛି ।’

ମଣ୍ଟ୍ରିଆଲ୍ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେଇଥିବା ବିଶ୍ୱର ବିଭିନ୍ନ ଦେଶର ବଛା ବଛା ୭ଟି ପ୍ରମୁଖ ଶିଶୁ ଚଳଚ୍ଚିତ୍ର  ମଧ୍ୟରେ , ‘ହଲକା’ ସର୍ବଶ୍ରେଷ୍ଠ ସ୍ଥାନ ପାଇଛି।  ଫିଲ୍ମ ବିଷୟରେ ସମ୍ୟକ୍ ସୂଚନା ଦେଇ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି , ଫିଲ୍ମ ‘ହଲକା’ ହେଉଛି ପିଚ୍‌କୁ ନାମକ ଜଣେ ୮ ବର୍ଷିୟ ଛୋଟ ପିଲାର କାହାଣୀ। ଯିଏକି ଦିଲ୍ଲୀର ଏକ ପୁରୁଣା ବସ୍ତିରେ ରହୁଛି ଏବଂ ଏକ ଉନ୍ନତ ଜୀବନ ବିତେଇବାକୁ ଚାହୁଁଛି। ଏହା ହେଉଛି ଏମିତି ଏକ କାହାଣୀ ଯେଉଁଥିରେ ଗୋଟିଏ ପିଲା କିପରି ତାର ସବୁ ଅସୁବିଧା ଓ ପ୍ରତିବନ୍ଧକକୁ ସାମ୍ନା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି ଏବଂ ତାର ବାପା-ମା , ତାର ବସ୍ତି ଓ ସମାଜ ପାଇଁ ଆଦର୍ଶ ପାଲଟିଯାଇଛି।

ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା ଓ ନୀଳ ମାଧବ ପଣ୍ଡାଙ୍କ ମିଳିତ ପ୍ରଯୋଜନାରେ ଫିଲ୍ମ ‘ହଲକା’ଟି ନିର୍ମିତ ହୋଇଛି। ଏହାର ସହ-ପ୍ରଯୋଜକ ଅଛନ୍ତି  ସୁପ୍ରତୀକ୍‌ ରାଏ ଏବଂ ୨୦୧୮ମସିହା ମେ /ଜୁନ୍‌ ମାସରେ ଫିଲ୍ମଟି ସିନେମା ଘରକୁ ଆସିବାର ସୂଚନା ରହିଛି।

You might also like