ଉଦ୍ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ
ଭୁବନେଶ୍ୱର : ଆସନ୍ତା ୭ ତାରିଖରେ ଉଦ୍ଘାଟନ ହେବ ନ୍ୟୁ ଭୁବନେଶ୍ୱର ଷ୍ଟେସନ। ଏଥିପାଇଁ ଜୋରସୋରରେ କାମ ଚାଲିଛି। ଆସନ୍ତା ୭ ତାରିଖରୁ ନ୍ୟୁ ଷ୍ଟେସନରୁ ଗଡ଼ିବ ଟ୍ରେନ୍। ଏଥିପାଇଁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିଛି।
ବାରଙ୍ଗ-ମଞ୍ଚେଶ୍ୱର ମଧ୍ୟରେ ଥିବା ଏହି ନ୍ୟୁ ଷ୍ଟେସନରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଲିବ ତିନୋଟି ପାସେଞ୍ଜର ଟ୍ରେନ୍। ଭୁବନେଶ୍ୱର ମୁଖ୍ୟ ଷ୍ଟେସନ୍ରୁ ଯାତ୍ରୀଙ୍କ ସଂଖ୍ୟା କମାଇବା ଏବଂ ଏକ ଅର୍ନ୍ତଜାତୀୟ ସ୍ତରର ଷ୍ଟେସନ୍ ଲକ୍ଷ୍ୟରେ ନିର୍ମାଣ ହୋଇଛି ଏହି ନ୍ୟୁ ଭୁବନେଶ୍ୱର ଷ୍ଟେସନ।
ଏହି ନ୍ୟୁ ଷ୍ଟେସନରେ ରହିଛି ୬ଟି ପ୍ଲାଟଫର୍ମ। ଏହା ମୁଖତଃ ପଟିଆ, ରଘୁନାଥପୁର , ଚନ୍ଦ୍ରଶେଖରପୁର ଏବଂ ବାରଙ୍ଗ ଅଞ୍ଚଳର ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦେବ। ଏହାସହ ଆସନ୍ତା ରଥଯାତ୍ରା ପୂର୍ବରୁ ରେଳ ଷ୍ଟେସନ୍ ଉଦ୍ଘାଟନ ହେଉଥିବାରୁ ଏହାଦ୍ୱାରା ବହୁ ସଂଖ୍ୟାରେ ଲୋକ ଉପକୃତ ହେବେ। ସେହିପରି ନିକଟରେ ନନ୍ଦନକାନନ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ମତ ପ୍ରକାଶ ପାଇଛି।
୨୦୧୨ ମସିହାରେ ନ୍ୟୁ ଭୂବନେଶ୍ୱର ଷ୍ଟେସନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୫ରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ତିନି ବର୍ଷ ବିଳମ୍ବରେ କାମ ସରିଛି।