ପାଗ ବଦଳିଲେ ବାଘ ଆସିବ
ଭୁବନେଶ୍ୱର: ପାଗ ବଦଳିଲେ ବାଘ ଆସିବ। ପାଣିପାଗକୁ ଦେଖି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ। ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରେ ବାଘ ଚିହ୍ନଟ ହୋଇଛି। ଖୁବ୍ ଶୀଘ୍ର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଇଛି।
ତିନିବର୍ଷରୁ କମ୍ ବୟସ୍କ ବାଘ ଛୁଆକୁ ଓଡ଼ିଶା ଆଣିବାକୁ ଚିହ୍ନଟ କରାଯାଇଛି। ବାଘଟିକୁ ଏବେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ବାଘ ଅଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ବାଘ ଅଣାଯିବାର ଯୋଜନା ରହିଛି ବୋଲି ସନ୍ଦୀପ କହିଛନ୍ତି। ଏଥିପାଇଁ ସାତକୋଶିଆର କୋର୍ ଅଞ୍ଚଳରୁ ଜନବସତିକୁ ସ୍ଥାନାନ୍ତର କରାଯାଇଛି। ବାଘଙ୍କ ପାଇଁ ସ୍ୱତନ୍ତ୍ର ଜାଲିଯୁକ୍ତ ଏନ୍କ୍ଲୋଜର ନିର୍ମାଣ ବି ଶେଷ ହୋଇଛି।