ନୂଆ ଶହେ ଟଙ୍କିଆ ନୋଟ୍ ପ୍ରଚଳନ ନେଇ ଚିନ୍ତାରେ ଏଟିଏମ୍ ଅପରେଟର ସଂଘ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ନୂଆ ଶହେ ଟଙ୍କିଆ ନୋଟ୍। କିନ୍ତୁ ଏହି ନୋଟ୍ ପାଇଁ ଏଟିଏମ୍ରେ ଯେଉଁ ପରିବର୍ତ୍ତନ କରାଯିବ, ସେଥିପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି। କାହିଁକି ନା ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରିବା ପାଇଁ ଏହି ଖର୍ଚ୍ଚ କରିବାକୁ ପଡ଼ିବ।
ଯଦି ଠିକ୍ ଭାବେ ପରିଚାଳନା ନ ହୋଇପାରିଲା ତେବେ ଆହୁରି ଅଧିକ ସମୟ ଲାଗିବ ବୋଲି ଏଟିଏମ୍ ଅପରେଟର ସଂଘ ସତର୍କ କରାଇ ଦେଇଛି। ଏହା ଦ୍ୱାରା ମାର୍କେଟରେ ଶହେ ଟଙ୍କିଆ ନୋଟ୍ର ଅଭାବ ମଧ୍ୟ ଦେଖା ଦେଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।
ଦେଶରେ ପ୍ରାୟ ୨ ଲକ୍ଷ ୪୦ ହଜାର ଏଟିଏମ୍ ଅଛି। ସେ ସବୁଗୁଡ଼ିକୁ ରିକାଲିବ୍ରେଟ୍ କରିବାକୁ ହେବ। ଉଭୟ ପୁରୁଣା ଓ ନୂଆ ୧୦୦ ଟଙ୍କିଆ ନୋଟ୍କୁ ଏଟିଏମ୍ରେ ରଖିବାକୁ ପଡ଼ିବ, ଯାହାକି ଆମ ପାଇଁ ଏକ ବଡ଼ ସମସ୍ୟା। ଉଭୟ ପ୍ରକାର ନୋଟ୍ ପାଇଁ ଭିନ୍ନ ଆକାରର ଟ୍ରେ ଦରକାର ହେବ’ ବୋଲି ଏଟିଏମ୍ ପରିଚାଳନା କରୁଥିବା କଂପାନି ସଂଘର ଅଧିକାରୀ ଭି ବାଲସୁବ୍ରମଣିଅନ୍ କହିଛନ୍ତି।
ତେବେ କିଛି ମାସ ପୂର୍ବରୁ ପ୍ରଚଳନ କରାଯାଇଥିବା ନୂଆ ୨୦୦ ଟଙ୍କିଆ ନୋଟ୍ ପାଇଁ ଏଟିଏମ୍ଗୁଡ଼ିକୁ ରିକାଲିବ୍ରେଟ୍ କରାଯାଇଥିଲା। ସେହି କାମ ଏବେ ଶେଷ ହୋଇଥିବା ବେଳେ ପୁଣି ନୂଆ ଶହେ ଟଙ୍କିଆ ନୋଟ୍ ଆସିବା ସମ୍ପର୍କିତ ଖବର ଜଣାପଡ଼ିବା ପରେ ଏଟିଏମ୍ ପରିଚାଳନା କମ୍ପାନୀ ଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି।
RBI ପକ୍ଷରୁ ଜାରି ହେବାକୁ ଥିବା ଏହି ନୂଆ ଶହେ ଟଙ୍କିଅା ନୋଟ୍ ବାଇଗଣି ରଙ୍ଗର ରହିବ। ଏନେଇ RBI ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି।
ନୂଅା ନୋଟ୍ ଅାସିଲେ ବି ପୁରୁଣା ଶହେ ଟଙ୍କିଅା ନୋଟ୍ ପ୍ରଚଳନ ରହିବ। ନୂଅା ନୋଟ୍ ପୁରୁଣା ନୋଟ୍ରୁ ସାମାନ୍ୟ ଛୋଟ ଏବଂ ୧୦ ଟଙ୍କିଅାଠୁ ସାମାନ୍ୟ ବଡ଼ ରହିବ। ନୂଅା ଶହେ ଟଙ୍କିଅା ନୋଟ୍ର ପଛ ପାର୍ଶ୍ୱରେ ଗୁଜରାଟର ରାଣୀ କି ଭାବ୍ ସ୍ମାରକର ଚିତ୍ର ସ୍ଥାନ ପାଇଛି।