ଲାଲ୍‌ଗଡ଼ରେ ଓଡ଼ିଶା ପୋଲିସ୍‌ର ଘନ ଘନ ହମ୍‌ଲା

ଭୁବନେଶ୍ୱର : ମାଓବାଦୀ ଅପେରସନରେ ଓଡ଼ିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା I ଲାଲ୍‌ ବାହିନୀର ଅଭେଦ୍ୟ ଦୁର୍ଗରେ ଧସେଇ ପଶିଛି ଓଡ଼ିଶା ପୋଲିସ। ବଲାଙ୍ଗିରର ଡୁଡୁକାମାଲ୍ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ଧରଣର ଅପରେସନ୍ କରି ପୋଲିସ ବାହିନୀ ଲାଲ୍ ଶିବିରକୁ ଦୋହଲାଇ ଦେଇଛନ୍ତି ।

ଏସ୍ଓଜି ଏବଂ ଡିଭିଏଫ୍‌ର ଆଖିବୁଜା ଗୁଳିମାଡ଼ରେ ସାତ ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ବିବିଏମ୍ ଏବଂ କେକେବିଏନର ଜଣେ ଲେଖାଏଁ ଡିଭିଜନାଲ ଓ କେକେବିଏନ୍‌ର ଜଣେ ଏରିଆ କମିଟି ମେମ୍ବର। ୨ ଡିଭିଜନାଲ୍ କମିଟି ମେମ୍ବରଙ୍କ ମୁଣ୍ଡ ପିଛା ୫ଲକ୍ଷ ଏବଂ ଜଣେ ଏରିଆ କମିଟି ମେମ୍ବରଙ୍କ ମୁଣ୍ଡ ପିଛା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଆଉ ସମସ୍ତଙ୍କ ଠାରୁ ଜବତ ହୋଇଛି AK-47, ଇନ୍‌ସାସ୍ ରାଇଫଲ୍ ସହ ବହୁ ମାରଣାସ୍ତ୍ର ଏବଂ ମାଓ ସାମଗ୍ରୀ। ଏହି ଅପରେସନରେ ଅନେକ ମାଓବାଦୀ ଆହତ ଅବସ୍ଥାରେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି।

ଆଗକୁ ମାଓ ଦମନ ଅପରେସନକୁ ଆଗକୁ ଜୋରଦାର କରିବା ପାଇଁ ପଡୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଝାଡ଼ଖଣ୍ଡ ସହ ସମନ୍ୱୟ ରକ୍ଷା କରାଯିବ ବୋଲି କହିଛନ୍ତି ଡିଜିପି। କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ାରେ ଗୁଇନ୍ଦା ନେଟ୍‌ୱାର୍କକୁ ଆହୁରି ବ୍ୟାପକ କରି ମାଓ ମୁକାବିଲା ଜାରି ରଖାଯିବ ବୋଲି ସେ କହିଛନ୍ତି। ତେବେ ଗତ ୪୮ ଘଣ୍ଟାର ଅପରେସନ୍‌ରେ କେନ୍ଦ୍ରୀୟ ଫୋର୍ସ ନୁହେଁ ବରଂ ଡିଭିଏଫ୍ ଓ ଏସ୍ଓଜି ଯବାନ ସାମିଲ ଥିବାରୁ ଏହା ଓଡ଼ିଶା ପୋଲିସ୍‌କୁ ଆହୁରି ଅନୁରୂପ ଅପରେସନ୍ ପାଇଁ ବାଟ କଢ଼ାଇବ ବୋଲି କୁହାଯାଉଛି।

ତେବେ ଓଡ଼ିଶା ପୋଲିସର ଏଭଳି ଅପରେସନ ପରେ ଭୁଶୁଡ଼ିବ କି ଲାଲଗଡ଼ ? ପୂର୍ବତନ ଡିଜିପିଙ୍କ କହିବା କଥା, ଓଡ଼ିଶାରେ ସକ୍ରିୟ ଥିବା ମାଓ ସଂଗଠନ ଗୁଡ଼ିକର ନେତୃତ୍ୱ ନେଉଛନ୍ତି ଅଧିକାଂଶ ଅଣଓଡ଼ିଆ। ତେଣୁ ଓଡ଼ିଶାର ମାଓ ପ୍ରବଣ ଇଲାକାରେ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳୁନଥିବାରୁ ସଂଗଠନ ଗୁଡ଼ିକ ଦୁର୍ବଳ ହେବ।

ତେବେ ଦୀର୍ଘ ସ୍ଥାୟୀ ସମାଧାନ ପାଇଁ  ମାଓ ସମସ୍ୟାକୁ ଜନ୍ମ ଦେଉଥିବା ଗରିବୀ ଓ ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ସୁଧୁରିବା ଜରୁରୀ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like