ନଓ୍ୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କୁ ବଡ଼ ଝଟକା। ନୱାଜ୍‌ଙ୍କୁ ୧୦ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାସନାଲ୍ ଆକାଉଣ୍ଟବିଲିଟି  ବ୍ୟୁରୋ କୋର୍ଟ। କେବଳ ନୱାଜ୍ ନୁହନ୍ତି ଝିଅ ମରିୟମ୍ ସରିଫ୍‌ଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି  ଅଦାଲତ। ଏହାସହ ପୂର୍ବତନ ସୁରକ୍ଷା ଅଧିକାରୀ ତଥା ନୱାଜ୍‌ଙ୍କ ଜ୍ୱାଇଁ ସଫଦର ଅୱନଙ୍କୁ ମଧ୍ୟ ବର୍ଷେ ଜେଲ୍ ହୋଇଛି।

ନୱାଜ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ ନେଇ ମାମଲା ଚାଲି୍ଥିଲା। ନୱାଜ୍‌ଙ୍କର ଇଂଲଣ୍ଡର ଏଭିନ୍‌ଫିଲ୍ଡ ପ୍ରପଟିରେ ଏକାଧିକ ଜାଗାରେ ସମ୍ପର୍ତ୍ତି ରହିଛି। ୨୦୧୫ ପାନାମା ପେପର୍ ଲିକ୍ ପରେ ଏନେଇ ବଡ଼ ଧରଣର ଖୁଲାସା ହୋଇଥିଲା। ନୱାଜ୍ ଏବଂ ତାଙ୍କ ପରିବାରର ଇଂଲଣ୍ଡର ବିଭିନ୍ନ ସ୍ଥାନରେ ଆଲିସାନ୍ କୋଠା ସହ ଅନେକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ମାମଲାରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଗତବର୍ଷ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ ନୱାଜ୍ ସରିଫ୍। ତେବେ ଆଜି ଏସିବି କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

କୋର୍ଟ ପ୍ରଥମେ ୧୨ଟା ୩୦ ପରେ ଅଢ଼େଇଟା ଏବଂ ଶେଷରେ ୩ଟା ବେଳେ ରାୟ ଶୁଣାଇଥିଲେ। ବାରମ୍ବାର କୋର୍ଟ କାର୍ଯ୍ୟକୁ ମୁଲତବୀ କରାଯାଇଥିବା ସୂଚନା ମିଳିଛି। ପାକିସ୍ତାନରେ ଆଗାମୀ କିଛି ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ତା ପୂର୍ବରୁ ନୱାଜ୍‌ଙ୍କ ଦଣ୍ଡାଦେଶ ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ମରିୟମ୍ ଚଳିତ ନିର୍ବାଚନରେ ପାକିସ୍ତାନ ମୁସଲିମ୍ ଲିଗ୍‌ର ପ୍ରମୁଖ ଚେହେରା ଭାବେ ବିଭିନ୍ନ ସଭାରେ ନଜର ଆସିଛନ୍ତି।

 

You might also like