ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ: ଉଦ୍ଘାଟନ କଲେ ‘ସପ୍ନେ ସେତୁ’
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବଲପୁର ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରଥମେ ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମ୍ବଲପୁର ୟୁନିଭର୍ସିଟିର ଷ୍ଟାଡିୟମ, ଅଡିଟୋରିୟମ ଓ ହଷ୍ଟେଲର ପୁନରୁଦ୍ଧାର ପାଇଁ ୨୩ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଇଆଇଏମ୍ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଯୋଗିପାଲିଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।
ଏହି ଅବସରରେ ରେଙ୍ଗାଲି-ସପ୍ନେ ବାଇପାସ ରୋଡର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ରୋଡ ୧୦ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରିବ। ସେହିପରି ହୀରାକୁଦ ଜଳଭଣ୍ଡାର ଉପରେ ନବନିର୍ମିତ ‘ସପ୍ନେ ସେତୁ’କୁ ମଧ୍ୟ ଉଦ୍ଘାଟନ କରିଛନ୍ତି ନବୀନ। ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଢ଼େଇ କିଲୋମିଟର ଲମ୍ବର ଏହି ବିଶାଳ ସେତୁ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଗମନାଗମନ ସୁଗମ ହୋଇପାରିବ। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ୧୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଥିଲା।