ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା
ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। କଟକ ବାଦାମବାଡ଼ିରେ କଂଗ୍ରେସ କର୍ମୀ ରାସ୍ତାରୋକ କରିଥିବା ସୂଚନା ମିଳିଛି।
ସେହିଭଳି ସମ୍ବଲପୁର, ବଲାଙ୍ଗିର ଓ ସୋରରେ ମଧ୍ୟ କଂଗ୍ରେସ କର୍ମୀ ରାସ୍ତାରୋକ କରିଛନ୍ତି। ଭଦ୍ରକରେ ମଧ୍ୟ କଂଗ୍ରେସ କର୍ମୀଙ୍କ ପିକେଟିଂ କରି ରାସ୍ତାରୋକ କରି ବନ୍ଦ ପାଳନ କରୁଛନ୍ତି। ସମ୍ବଲପୁର ଷ୍ଟେସନରେ ରେଳ ରୋକ କରିଛନ୍ତି କଂଗ୍ରେସ କର୍ମୀ। ସମ୍ବଲପୁର ଷ୍ଟେସନରେ ଅଟକିଛି ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ।
ତେବେ ବନ୍ଦ ପାଳନରୁ ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି। ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ କହିଛି। ଆଜି ବିଧାନସଭା ଯିବେନି କଂଗ୍ରେସ ବିଧାୟକ। ଅପରାହ୍ନ ୩ଟା ଯାଏ ବିଧାନସଭା ମୁଲତବି ରଖିବାକୁ ସରକାରଙ୍କୁ ଆହ୍ୱାନ ଦେଇଛି କଂଗ୍ରେସ। ତେଲ ଦର ବୃଦ୍ଧି ଯଦି ସରକାରଙ୍କୁ ବାଧୁଛି ତେବେ ଏହାକୁ ଜିଏସଟି ପରିସରକୁ ଆଣିବାକୁ କଂଗ୍ରେସ ଆହ୍ୱାନ ଦେଇଛି।