୨୦୨୦ ନଭେମ୍ବର ୨୭ରେ ପଡିବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ : ୨୦୨୦ ମସିହା ନଭେମ୍ବର ୨୭ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ  ନାଗାର୍ଜୁନ ବେଶ । ଦୀର୍ଘ ୨୫ ବର୍ଷ ପରେ ଏହି ବିରଳ ବେଶ ପବିତ୍ର କାର୍ତ୍ତିକ ଦ୍ୱାଦଶୀ ଅର୍ଥାତ୍ ଶୁକ୍ରବାର ଦିନ ପଡିବ । ଏ ନେଇ ଗଣନା କରି ସୂଚନା ଦେଇଛନ୍ତି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ବାଚସ୍ପତି ବୈକୁଣ୍ଠନାଥ ନାୟକ।

ବିଶ୍ୱାସ ରହିଛି ଏହି ବେଶରେ ଭଗବାନ ପର୍ଶୁରାମ ଅତ୍ୟାଚାରୀ ସହଶ୍ରାର୍ଜୁନକୁ ବଦ୍ଧ କରିଥିଲେ । ତାସହ ନାଗା ସାଧୁମାନେ ମଧ୍ୟ ଏହି ବେଶରେ ଶ୍ରୀକ୍ଷେତ୍ରକୁ ସୁରକ୍ଷା ଦେଇ ଆସୁଥିଲେ । ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନାଗା ବେଶରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଯେଉଁଥିରେ ଉଭୟଙ୍କ ଅଣ୍ଟାରେ ନାଗା ତାଟି, ଛୁରୀ ସହ ଶୋଲ ତିଆରି ହାଣ୍ଡିଆ ବନ୍ଧା ଯାଏ । ତାସହ କାନ୍ଧରେ ଧନୁଶରପୂର୍ଣ୍ଣ ତୂଣୀ ରହେ ଓ ଠାକୁରଙ୍କ ନିଶ ଓ ଦାଢ଼ି ତିଆରି ହୁଏ।

ଦୁଇ ଭାଇଙ୍କୁ ଶ୍ରୀପୟର ଓ ଶ୍ରୀହସ୍ତ ଲାଗି  ବାଘ ଛାଲ ବସ୍ତ୍ର ଭାବେ ପିନ୍ଧାଇ ଦିଆଯାଏ। ଗଳାରେ ଝୁଲିବ ବାଘ ନଖ ମାଳି ଏବଂ ହରିଡ଼ା ମାଳି।

ଶେଷ ଥର ପାଇଁ ୧୯୯୪ ମସିହାରେ ପଡିଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ତା ପୂର୍ବରୁ ୧୯୯୩, ୧୯୮୩ ଓ ୧୯୬୬ ମସିହାରେ ମଧ୍ୟ ଏହି ବୀର ବେଶ ଅନୁଷ୍ଠିତ ହୋଇଥିଲା। ତେବେ ୧୯୯୩ ମସିହା ନଭେମ୍ବର ୨୬ରେ ବେଶ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ଦଳଚକଟାରେ ୬ଜଣ ଭକ୍ତଙ୍କ ପ୍ରାଣହାନୀ ଘଟିଥିଲା।

ଯେହେତୁ ଏହା ଏକ ବିରଳ ଓ ଦୁର୍ଲଭ ବେଶ, ତେଣୁ ୨୦୨୦ରେ ମଧ୍ୟ ଏହି ବେଶରେ ଠାକୁରଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି । ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇନଥିଲେ ବି ଲକ୍ଷ ଲକ୍ଷ ଭକ୍ତ କିପରି ଶୃଙ୍ଖଳିତ ଭାବେ ଏ ବେଶ ଦର୍ଶନ କରିପାରିବେ ସେ ନେଇ ପରିଚାଳନା କମିଟିରେ ଆଲୋଚନା ହେବ ବୋଲି କହିଛନ୍ତି ଗଜପତି ମହାରାଜା।

 

You might also like
Comments
Loading...