ଆଉ ଅପହଞ୍ଚ ନୁହେଁ ଯାଜପୁର ସୁକିନ୍ଦାର ନଗଡା

ଭୁବନେଶ୍ୱର : ଦୁଇ ବର୍ଷ ଭିତରେ ଆକାଶ ପାତାଳ ଫରକ। ଅଞ୍ଚଳ ସମାନ, ହେଲେ ବଦଳି ଯାଇଛି ଚିତ୍ର। ଯେଉଁ ଗାଁକୁ ପାଦଚଲା ରାସ୍ତା ନଥିଲା, ସେଠାକୁ ଏବେ ଲମ୍ବିଛି ସବୁଦିନିଆ ପକ୍କା ରାସ୍ତା। ମୁଣ୍ଡ ଗୁଞ୍ଜିବାକୁ ଚାଳ ନଥିଲା, ହେଲେ ଏବେ ପ୍ରତି ପରିବାର ପାଇଁ କଂକ୍ରିଟ୍ ଛାତ। କେଉଁଠି ନିର୍ମାଣ ସରିଛି, ତ ଆଉ କେଉଁଠି ଜୋରସରରେ ଜାରି ରହିଛି ନିର୍ମାଣ କାମ। ସେହିଭଳି ପିଇବା ଲାଗି ହୋଇଛି ପାଇପ ପାଣିର ବ୍ୟବସ୍ଥା ସହ ବିଜୁଳି ସଂଯୋଗ ବି ହୋଇଛି। ସରକାରୀ ଯୋଜନାର ସବୁ ସୁବିଧା ସୁଯୋଗ ପହଞ୍ଚିଛି ଗାଁ ଲୋକଙ୍କ ହାତ ପାଆନ୍ତାରେ।

ସ୍ଥାନୀୟ ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନର ଦାବି ଯେ, ବର୍ଷକ ଭିତରେ ନଗଡ଼ା ପାଲଟି ଯାଇଛି ମଡେଲ ଭିଲେଜ୍। ହେଲେ ନଗଡ଼ାବାସୀଙ୍କ ମନର ଭାଷା କିଛି ଅଲଗା। ସେମାନଙ୍କ ଅଭିଯୋଗ ପାନୀୟ ଜଳ ସୁବିଧା ସବୁ ସମୟ ପାଇଁ ଉପଲବ୍‌ଧ ହେଉନି। ଘଣ୍ଟାଏ ପରେ ବାକି ସମୟ ବନ୍ଦ୍। ଦିନକ ପରେ ଠପ୍ ହୋଇଯାଇଛି ବିଜୁଳି ଆଲୁଅ ବ୍ୟବସ୍ଥା। ମାତ୍ର ୩ ଘଣ୍ଟାର ପାଠପଢ଼ା ପରେ ବନ୍ଦ୍ ହୋଇଯାଉଛି ସ୍କୁଲ। ଆଖପାଖରେ ମେଡିକାଲର ସୁବିଧା ନଥିବାରୁ ଲୋକେ ଏବେ ବି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ। ସେହିଭଳି ସରକାର ପୋଡୁ ଚାଷ ଉପରେ ରୋକ୍ ଲଗାଇଥିବାରୁ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଅଭିଯୋଗ ବାଢିଛନ୍ତି ନଗଡାବାସୀ।

ଅପହଞ୍ଚ, ଅନୁନ୍ନତ ଓ ଅପପୁଷ୍ଟିର ଅଞ୍ଚଳ ଭାବେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ନଗଡ଼ାର ଚିତ୍ର ଅନେକ ବଦଳିଛି। ହେଲେ ନଗଡ଼ାବାସୀଙ୍କ ଆଉ କିଛି ଦାବି ଓ ଆବଶ୍ୟକତାକୁ ଆଉ କିଛି ମାତ୍ରାରେ ପୂରଣ କରାଯାଇ ପାରିଲେ ସମ୍ପୂର୍ଣ୍ଣ ବଦଳିଯିବ ନଗଡ଼ାର ଚିତ୍ର।

 

You might also like