ନେପାଳରେ ପ୍ରବଳ ବର୍ଷା: ମାନସରୋବର ଯାତ୍ରାରେ ଫସିଲେ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ

କାଠମାଣ୍ଡୁ: ନେପାଳରେ ପ୍ରବଳ ବର୍ଷା ଯୋଗୁଁ ମାନସରୋବର ଯାତ୍ରାରେ ଥିବା ପ୍ରାୟ ୧୫ଶହରୁ ଅଧିକ ଶ୍ରଦ୍ଧାଳୁ ଅଧାବାଟରେ ଫସି ରହିଛନ୍ତି। ନେପାଳରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ୫୨୫ ତୀର୍ଥଯାତ୍ରୀ ସିମିକୋଟରେ ଫସି ରହିଥିବାବେଳେ ତିବ୍ବତ ଅଞ୍ଚଳରେ ୫୦୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି।ଅଟକ ରହିଥିବା ଯାତ୍ରୀଙ୍କ ମଧ୍ୟରେ କର୍ଣ୍ଣାଟକର ୨୯୦ ଜଣ ଅଛନ୍ତି।

ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନେପାଳଗଂଜ, ସିମିକୋଟ ଏବଂ ହିଲ୍‌ସା ଅଞ୍ଚଳରେ ସ୍ଥିତି ଉପରେ ନଜର ରଖିଛନ୍ତି।  ପାଣିପାଗ ଖରାପ ଥିବାରୁ ବିମାନ ଉଡାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସମସ୍ତ ଯାତ୍ରୀଙ୍କୁ ତିବ୍ବତ ଅଞ୍ଚଳରେ ଅଟକ ରଖିବାକୁ ଟୁର୍ ଅପରେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନେପାଳ ସରକାର। ସେପଟେ ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ବିଭାଗ। ନେପାଳର ସିମିକୋଟ ଅଞ୍ଚଳରେ ଦୁଇ ପ୍ରତିନିଧିଙ୍କୁ ନିୟୋଜିତ କରିବା ନେଇ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଉଭୟ ପ୍ରତିନିଧି ତୀର୍ଥଯାତ୍ରୀଙ୍କ ସହ ଯୋଗାଯୋଗ ରଖିଛନ୍ତି। ଯାତ୍ରୀମାନଙ୍କୁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିବା ସହ ବ୍ୟସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା କହିଛନ୍ତି ।

You might also like